ସୁନାଗହଣା ଓ ଟଙ୍କା ଲୁଟିଲେ

ସୁନାଗହଣା ଓ ଟଙ୍କା ଲୁଟିଲେ

ବଅଁରପାଳ:ମାସକ ବ୍ୟବଧାନରେ ଗତ ବୁଧବାର ରାତିରେ ବଅଁରପାଳ ଥାନା ଅପର୍ତ୍ତିପୁର ଗାଁରେ ପୁଣି ଡକାୟତି ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗ୍ରାମର ଦୁର୍ଗାପ୍ରସାଦ ସିଂହଙ୍କ ଘରେ ପଶି ୮ଭରି ସୁନାଗହଣା ଏବଂ ନଗଦ ୩ହଜାର ଟଙ୍କା ଲୁଟି ନେଇଥିବା ଆଜି ଶ୍ରୀ ସିଂହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ସିଂହଙ୍କ ଏତଲା ଅନୁସାରେ, ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ବେକରେ ଛୁରୀ ଲଗାଇ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ। ସ୍ୱଳ୍ପ ସମୟ ମଧ୍ୟରେ ସୁନାଗହଣା ଏବଂ ଟଙ୍କା ଧରି ପଳାଇଥିଲେ। ତତ୍କାଳୀନ ପରିବାର ଲୋକେ ବଅଁରପାଳ ଥାନାକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ବହୁ ବିଳମ୍ବରେ ପହଞ୍ଚି ଥିଲା ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଗତମାସ ୧୧ତାରିଖ ରାତିରେ ମଧ୍ୟ ଗ୍ରାମରେ ଅନୁରୂପ ଲୁଟ୍‌ପାଟ ହୋଇଥିଲା। ଅଳ୍ପ ଦିନର ବ୍ୟବଧାନରେ ଘଟଣାର ପୁନରାବୃତ୍ତି ହୋଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କ ଟେର୍‌ ବି ପାଇ ପାରୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠିକଣା ସମୟରେ ଲୋକେ ଥାନା ସହିତ ଯୋଗାଯୋଗ କରିବାକୁ ଚାହିଁଲେ ବି ତାହା ସମ୍ଭବ ହୋଇ ପାରୁନି। କାରଣ ଗତ ୨୦ଦିନ ହେଲା ବଅଁରପାଳ ଥାନାର ଲ୍ୟାଣ୍ଡ୍‌ ନମ୍ବର ୦୬୭୬୪-୨୨୯୨୬୦ ଅଚଳ ହୋଇ ପଡ଼ିଛି। ୧୦୦କୁ ଫୋନ୍‌ କଲେ ବି ଲାଗୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe