ଜଙ୍ଗଲ ଜମି ଅଧିକାର ଆବେଦନ ଫର୍ମ ବିକ୍ରି! ଟଙ୍କା ଆଦାୟ ଭିଡିଓ ଭାଇରାଲ

Advertisment
ଜଙ୍ଗଲ ଜମି ଅଧିକାର ଆବେଦନ ଫର୍ମ ବିକ୍ରି! ଟଙ୍କା ଆଦାୟ ଭିଡିଓ ଭାଇରାଲ

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଶିରୋନାମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଦିବାସୀ, ବନବାସୀଙ୍କ ଆବେଦନପତ୍ର ସଂଗ୍ରହ ଚାଲିଛି। ଏଥିପାଇଁ ବ୍ଲକରେ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ଜନ ସଚେତନତା ଓ ଆବେଦନପତ୍ର ଗ୍ରହଣ ପାଇଁ ନିୟୋଜିତ କରାଯାଇଛି। ଏସବୁ ପ୍ରକ୍ରିୟା ନିଶୁଳ୍କ ଥିଲେ ମଧ୍ୟ ଆବେଦନପତ୍ର ୧୦ ଟଙ୍କାରେ ବିକ୍ରି ହେଉଥିବା ଓ ଫର୍ମ ପୂରଣ ପାଇଁ ୨ ଶହରୁ ୫ ଶହ ଟଙ୍କା ନିଆଯାଉଛି। ହେମଗିର ବ୍ଲକ୍ କାର୍ଯ୍ୟାଳୟରେ ଏକ ସ୍ବେଚ୍ଛାସେବୀ ସଂସ୍ଥାର କର୍ମଚାରୀ ଫର୍ମ ପ୍ରତି ୧୦ ଟଙ୍କା ମାଗୁଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏ କଥା ସାମ୍ନାକୁ ଆସୁଛି।

ଭିଡିଓରେ ଜଣେ ମହିଳା କର୍ମଚାରୀ ଫର୍ମ ପ୍ରତି ୧୦ ଟଙ୍କା ଦେବାକୁ କହୁଛନ୍ତି। ତେବେ ମହିଳା ଜଣକ କେଉଁ ସଂସ୍ଥାର, କେଉଁ ଆଧାରରେ ୧୦ ଟଙ୍କା ମାଗୁଛନ୍ତି, ତାହା ଜଣାପଡ଼ି ନାହିଁ। ଅନ୍ୟପଟେ ଆବେଦନକାରୀଙ୍କ ଫର୍ମ ପୂରଣ ପାଇଁ ସ୍ବେଚ୍ଛାସେବୀମାନେ ୨ ଶହରୁ ୫ ଶହ ଟଙ୍କା ଆଦାୟ କରୁଥିବା କିଛି ଆବେଦନକାରୀ ଅଭିଯୋଗ କରିଛନ୍ତି।

ପ୍ରକାଶଯୋଗ୍ୟ, ଜିଲ୍ଲାର ବଣାଇ, ଗୁରୁଣ୍ଡିଆ, କୋଇଡ଼ା, ଲହୁଣୀପଡ଼ା, କୁଆରମୁଣ୍ଡା, ନୂଆଗାଁ, ବିଶ୍ରା, ଲାଠିକଟା, ଲେଫ୍ରିପଡ଼ା, ଟାଙ୍ଗରପାଲି, ସବଡେଗା, ସୁନ୍ଦରଗଡ଼ ସଦର, ବାଲିଶଙ୍କରା, କୁତ୍ରା, ରାଜଗାଙ୍ଗପୁର ଓ ହେମଗିର ବ୍ଲକର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଆଇନ -୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଶିରୋନାମା ପ୍ରଦାନ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମଧ୍ୟରେ ଆବେଦନ କରିବାକୁ ଲୋକଙ୍କୁ ସଚେତନ କରିବା ଓ ଆବେଦନପତ୍ର ଗ୍ରହଣ କରିବାକୁ ଏସଜିୟୁପି, ୱାସକା, ନିୟତି, ଦିଶା, ସେବକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସଂସ୍ଥାଗୁଡ଼ିକ ଗାଁ ଗାଁ ପଡ଼ା ପଡ଼ା ଯାଇ ଗ୍ରାମବାସୀଙ୍କୁ ଆବଶ୍ୟକ ସୂଚନା ତଥା ଆବେଦନ ଫର୍ମ ପୂରଣ ଦିଗରେ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଅନେକ ଗାଁ ପଡ଼ାରେ ଏହି ସ୍ବେଚ୍ଛାସେବୀମାନେ ପହଞ୍ଚି ନଥିବାରୁ ଅନେକ ଲୋକ ଏ ବିଷୟରେ ସଠିକ ସୂଚନା ପାଇ ନଥିବାବେଳେ ଏବେ ଫର୍ମ ଓ ଫର୍ମ ପୂରଣ ପାଇଁ ଅର୍ଥ ଆଦାୟ ଅଭିଯୋଗ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe