ଜୟପୁର: କରୋନା ଭୂତାଣୁର ସଂକ୍ରମଣ ଭୟ ଦେଶିଆ ନାଟ ଓ ନାଟ୍ୟ କଳାକାରଙ୍କ ଜୀବନ ଓଜୀବିକାକୁ ଗିଳି ଦେଇଛି। ଏହା ଦ୍ବାରା ଏବେ ସଂକଟରେ ଆଦିବାସୀ ନାଟ ଓ ନାଟ୍ୟ କଳାକାର। ପ୍ରତିବର୍ଷ ଏହି ସମୟରେ ବାହା, ବ୍ରତ, ଚୈତ୍ରନବରାତ୍ର, ଶ୍ରୀରାମ ନବମୀ , ଜାନିଯାତ୍ରା ଆଦି ପାଳନ କରାଯିବା ସମୟରେ କୋରାପୁଟଜିଲ୍ଲାର ସହର ଠାରୁ ଗାଁ ଗହଳିରେ ଆଦିବାସୀ ନାଟ ପରିବେଷଣ ହୋଇଥାଏ।
ଖରିଫ ଧାନ କଟା ସରିଥିବା ଏବଂ ଅଳ୍ପ ବହୁତ ରବି ଧାନ ଚାଷ ହେଉଥିବାରୁ ଲୋକେ ବି ମନୋରଂଜନ ପାଇଁ ରାତ୍ର ସମୟରେ ଦେଶିଆ ନାଟ ଦେଖିବାକୁ ଯାଇଥାନ୍ତି। ସେଭଳି ବିଭିନ୍ନ ଗାଁ ଗହଳିରେ ନୂଆ ନୂଆ ନାଟକ ବି ଶିଖିବା ସହ ପୁରୁଣା ନାଟକ ଗୁଡିକର ରିହର୍ସଲ ବି ହୋଇଥାଏ। ନାଟ ଉପରେ ଶତାଧିକ କଳାକାର , ମାଇକସେଟ୍ , ଗାଡି ମାଲିକ ଆଦି ନିର୍ଭର ରହିଥାନ୍ତି। ତେବେ ଏହି ବର୍ଷ ସବୁ ବନ୍ଦ ରହିବା ଫଳରେ ଏମାନେ ପ୍ରଭାବିତ ହୋଇଥିବା କହିଛନ୍ତି ନାଟଗୁରୁ ମଦନ ପୁଜାରୀ।
ସେଭଳି ବିଭିନ୍ନ ଗାଁର ଲୋକେ ନାଟ ଦଳ ଗଠନ କରିବା ପାଇଁ ଘରୋଇଓ ବ୍ୟାଙ୍କ ସହ ସହରର କିଛି ନାଟସାମଗ୍ରୀ ଯୋଗାଉଥିବା ଦୋକାନ ଠାରୁ ଧାର ଆଣିଥିବା ବେଳେ ଏବେ ଏହା ଚାଳୁନଥିବାରୁ କିଭଳି ଉଧାର ସୁଝିବେ ବୋଲି ଚିନ୍ତାରେ ପଡିଥିବା କହିଛନ୍ତି ନାଟଗୁରୁ ମଦନ। ତେବେ ଏହି ସ୍ଥିତି ଲାଗି ରହିଲେ ଆମ ନାଟ ଦଳ ଓ କଳାକାରଙ୍କର ଭବିଷ୍ୟତ ଅନ୍ଧକାରମୟ ହେବ ବୋଲି ନାଟଗୁରୁ ମଦନଙ୍କ ସହ ଅଭିନେତା ଟଙ୍କଧର, ରୁପଧର, ବଳି ଆଦି କହିଛନ୍ତି। କଳା, ସଂସ୍କୃତି, ପରମ୍ପରା ଆଦି ବଂଚାଇବା ପାଇଁ ସରକାର ପ୍ରୟାସ କରିବା ଆବଶ୍ୟକ ବୋଲି ଏମାିନେ କହିଛନ୍ତି।
Follow Us