ଅଭିଯୁକ୍ତକୁ ଧରିବା ବେଳେ କଟୁରି ଚୋଟରେ ଏଏସ୍‌ଆଇ ଗୁରୁତର

Advertisment
ଅଭିଯୁକ୍ତକୁ ଧରିବା ବେଳେ କଟୁରି ଚୋଟରେ ଏଏସ୍‌ଆଇ ଗୁରୁତର

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଅଇଁଲାପାଲି ପଞ୍ଚାୟତ ତେନ୍ତୁଳିଟିକିରା ଛକଠାରେ ଗତ ସୋମବାର ଦୁଇ ଅସାମାଜିକ ଯୁବକ ମୋହନ ସାହୁ ଓ ବୃନ୍ଦାବନ ପଧାନ (ଭାଲୁ) ଏକ ଧରୁଆ ଅସ୍ତ୍ରରେ ବରଗାଁ ଗ୍ରାମର ଦୈତାରୀ ପାଣିଗ୍ରାହୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ଭେଡ଼େନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ସେତେବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ହେଁ ଅଭିଯୁକ୍ତଦ୍ବୟ ଧରାପଡ଼ି ନଥିଲେ।

ବୁଧବାର ଭୋର କୌଣସି ସୂତ୍ରରୁ ଖବର ପାଇ ଧୁବେନପାଲି ଗ୍ରାମର ଅଭିଯୁକ୍ତ ବୃନ୍ଦାବନ ନିଜ ଘରେ ଲୁଚି ରହିଥିବା ଜାଣି ଥାନାଧିକାରୀଙ୍କ ନିର୍ଦେଶକ୍ରମେ ଭେଡ଼େନ ଏସ୍‌ଆଇ ଦୟାନିଧି ପାତ୍ର, ଏଏସ୍‌ଆଇ. ରାମଚନ୍ଦ୍ର ଦାଶ, ହାବିଲଦାର ଜୟରାମ ଆଚାର୍ଯ୍ୟ ଓ ପୁଲିସ ଟିମ୍‌ ପହଞ୍ଚିଥିଲେ। ପୁଲିସକୁ ଦେଖି ବୃନ୍ଦାବନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହଠାତ୍‌ ଏକ ଲୁହା କଟୁରିରେ ଏଏସ୍‌ଆଇ ଶ୍ରୀ ଦାଶଙ୍କୁ ଆକ୍ରମଣ କରିଥିଲା। ଫେରାର ମାରିଥିବା ବେଳେ ଅନ୍ୟ ପୁଲିସ କର୍ମଚାରୀ ତାକୁ କାବୁ କରି ଥାନାକୁ ଆଣିଥିଲେ। ଏଏସ୍‌ଆଇ ଶ୍ରୀ ଦାଶଙ୍କ ମୁଣ୍ଡ ଓ ହାତରେ କଟୁରି ଚୋଟ ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ। ଅନ୍ୟ କର୍ମଚାରୀ ତାଙ୍କୁ ଚିକିତ୍ସା ପାଇଁ ଭେଡ଼େନ ଡାକ୍ତରଖାନାକୁ ନେଇଥିଲେ। ବ୍ୟବହୃତ ଲୁହା କଟୁରିକୁ ପୁଲିସ ଜବତ କରିଥିଲା। ଏନେଇ ଭେଡ଼େନ ଥାନାରେ କେସ ନମ୍ବର ୧୫୯/୨୩ ରେ ଦଫା ୩୪୧/୨୯୪/୩୩୩/ ୩୦୭/ ୩୫୩/୧୮୬ ଆଇପିସିରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏବେବି ଅନ୍ୟ ଅଭିଯୁକ୍ତ ମୋହନ ସାହୁ ଫେରାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe