ଚାଷ ପ୍ରତି ମୋହ: ଜମିରେ ଟ୍ରାକ୍ଟର ବୁଲାଇଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଚାଷ ପ୍ରତି ମୋହ: ଜମିରେ ଟ୍ରାକ୍ଟର ବୁଲାଇଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଅନୁଗୁଳ (ରତ୍ନାକର ଭୋଇ): ସରକାରୀ ଅଧିକାରୀ ପଦ ରମେଶ ସାଏଙ୍କୁ ବାନ୍ଧି ପାରି ନାହିଁ। ସରକାରୀ ଚାକିରୀ ଛାଡ଼ି ରମେଶ ରାଜନୀତିରେ ପ୍ରବେଶ କରିବା ପରେ ଏଥର ଆଠମଲ୍ଲିକ ବିଧାୟକ ହୋଇଛନ୍ତି। ମାତ୍ର ଚାଷ କାମକୁ ସେ ଭୁଲି ପାରି ନାହାନ୍ତି। ବିଧାୟକ ରମେଶ ଶନିବାର ନିଜେ ଟ୍ରାକ୍ଟର ଚଳାଇ ଧାନ ଚାଷରେ ଲାଗି ପଡ଼ିଥିଲେ। ଧାନରୁଆ ପାଇଁ ସେ ନିଜ କ୍ଷେତରେ ଟ୍ରାକ୍ଟର ଚଳାଇ ଶ୍ରମିକମାନଙ୍କ ସହିତ କାମ କରିଥିଲେ।

publive-image

ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତର ବଣଜଂଗଲ ଘେରା ପୋଡ଼ାପଥର ଗାଁ ନିବାସୀ ରମେଶ ସାଏଙ୍କ ତିନି ଭାଇ ମଧ୍ୟରୁ ସାନ ଭାଇ ଚୌଧୁରୀ ଚରଣସାଏ ଗାଁରେ ରହୁଥିବା ବେଳେ ଅନ୍ୟ ଜଣେ ଭାଇ ପୁଲିସ ବିଭାଗରେ କାମ କରୁଛନ୍ତି। ରମେଶ ଚଳିତ ଖରିଫ ଋତୁରେ ସାନ ଭାଇ ସହିତ ମିଶି ୩୫ ଏକର ଜମିରେ ଧାନ ଚାଷ ଓ ୫ ଏକର ଜମିରେ ମୁଗ, ବିରି ସହିତ ପନିପରିବା ଚାଷ କରିଛନ୍ତି। ଚାଷ ପ୍ରତି ପିଲାଟି ଦିନରୁ ଦୁର୍ବଳତା ରହିଥିବା ରମେଶ ତଥାପି କିଛି ଜମି ପଡ଼ିଆ ରହିଯାଉଛି ବୋଲି କହିଛନ୍ତି। କିଛି ବ‌ର୍ଷ ତଳେ ପଡ଼ିଆ ରହୁଥିବା ପୈତୃକ ଜମିକୁ ଚାଷ ଉପଯୋଗୀ କରିଥିଲେ। ସମ୍ବଲପୁରର ଆ‌ଂଚଳିକ ପରିବହନ ଅଧିକାରୀ(ଆରଟିଓ) ଥିବା ବେଳେ ମଧ୍ୟ ରମେଶ ସାଏ ଗାଁରେ ଅମୃତଭଣ୍ଡା ଓ ଅନ୍ୟାନ୍ୟ ଚାଷ କରୁଥିଲେ। ଅମୃତଭଣ୍ଡା ସମ୍ବଲପୁର ଓ ଅନ୍ୟାନ୍ୟ ବଜାରରେ ବିକ୍ରି କରୁଥିଲେ।

publive-image

ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଅନେକ ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଦୁର୍ଗମ ଅଞ୍ଚଳରେ ଥିବା ଅନେକ ଗାଁ ବିକାଶଠାରୁ ବହୁ ଦୂରରେ। ପଛୁଆ ଅଞ୍ଚଳର ବିକାଶ ପାଇଁ ରମେଶ କିଛି କରିବାକୁ ଚାହିଁଥାନ୍ତି। ବିଧାୟକ ରମେଶ ଶୁକ୍ରବାର ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଚାଲି ଚାଲି ବାତ୍ରାଖୋଳ ଗାଁରେ ପହଂଚି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଆମ୍ବନାଲିଠାରୁ ବାତ୍ରାଖୋଲ ଗାଁକୁ ସଂଯୋଗ କରିବ। ସେହିପରି ରମେଶ ଟୋଣ୍ଟୋଲୋଇଠାରୁ ଲକ୍ଷ୍ମୀପୁର ଯାଏଁ ୨.୭୧ କୋଟି ଟଙ୍କାର ରାସ୍ତା କାମର ତଦାରଖ କରିଛନ୍ତି। ଏଥି ପାଇଁ ବିଧାୟକଙ୍କୁ ବାଇକ୍‌ ଓ ଅଟୋ‌େର ମଧ୍ୟ ଯିବାକୁ ପଡ଼ିଥିଲା ବିଧାୟକଙ୍କ ସହିତ ସରକାରୀ ବାବୁମାନେ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା।

publive-image

ସାଧାରଣ ନିର୍ବାଚନ ପୂର୍ବରୁ କଟକ ମହାନଗର ନିଗମର ଅତିରିକ୍ତ କମିସନର ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସେ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନରେ ଲଢ଼ି ୪୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏ ସବୁ ସତ୍ତ୍ୱେ ରମେଶ ଚାଷ କାମକୁ ଭୁଲି ପାରି ନାହାନ୍ତି। ଚାକିରୀ ଜୀବନରେ ମଧ୍ୟ ରମେଶ ଗାଁକୁ ଗଲେ ଭାଇମାନଙ୍କ ସହ ଚାଷ କ୍ଷେତକୁ ପହଞ୍ଚି ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe