ନବରଙ୍ଗପୁର: ବହୁ ଚର୍ଚ୍ଚିତ ନବରଙ୍ଗପୁର ଏଟିଏମ୍ ଲୁଟ୍ ଘଟଣାରେ ୫ ଜଣ ଲୁଟେରାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ବିଚାରପତି ଶୁଣାଇଲେ। ତେବେ ଦଣ୍ଡାଦେଶ ଶୁଣି କୋର୍ଟରୁ ୨ ଲୁଟେରା ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁୟାରୀ ୩୧ରେ ବିଳମ୍ବିତ ରାତିରେ ସଦର ବ୍ଲକ କାର୍ଯ୍ୟାଳୟ ନିକଟ ଥିବା ଏସବିଆଇ ଏଟିଏମ୍ରୁ ଟଙ୍କା ଲୁଟ୍ ଓ ପୋଡ଼ିଦେବା ଘଟଣାରେ ନବରଙ୍ଗପୁର ଥାନାରେ କେସ ନମ୍ବର ୬୦/୨୦୨୪ ଏକ ମାମଲା ରୁଜୁ ହୋଇଥିଲା । ପରେ ପୁଲିସ ୫ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଡାବୁଗାଁ ଜଙ୍ଗଲରୁ କାବୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା କୋର୍ଟ କେସ ନମ୍ବର ୪୧/୨୦୨୪ ବିଚାରାଧୀନ ରହିଥିଲା।
ଏଟିଏମ୍ରୁ ଲୁଟ ଘଟଣାରେ ବିହାର ପିରାରୀ ଗାଁର ନିଖିଳ କୁମାର (୩୨), ହରିୟାଣା ପଞ୍ଚଗାଁର ସକିଲ ଖାନ (୨୧), ହରିୟାଣା ଶିଖରପୁରର ଜହୁଲ ଖାନ(୨୭), ପଞ୍ଚାଗାଁର ସାହାରୁଖ ଖାନ(୨୭) ଓ ହରିୟାଣା ଶିଖରପୁରର ଫୋଜି ଖାନ ଓରଫ ଫାଜଲ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତଥା ସହକାରୀ ଦୌରା ଜଜ ସୀମା ତ୍ରିପାଠୀ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ଥ କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଇଥିଲେ । ଜରିମାନା ଅନାଦେୟ ୪ ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ କରିଥିଲେ। ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମିନ କେତନ ପୂଜାରୀ ପରିଚାଳନା କରୁଥିଲେ ।
ତେବେ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସକିଲ ଖାନ ଓ ସାହାରୁଖ ଖାନ ଜାମିନରେ ଥିଲେ। ସୋମବାର ବିଚାରବେଳେ ଜାମିନରେ ଥିବା ୨ ଅଭିଯୁକ୍ତଙ୍କ ସହ ଜେଲ ହେପାଜତରେ ଥିବା ୩ ଜଣ ମୋଟ ୫ ଜଣ ଦୋଷୀ କୋର୍ଟରେ ବିଚାରପତିଙ୍କ ଶୁଣାଣି ବେଳେ ଉପସ୍ଥିତ ରହିଥିଲେ।
ଅଧିକ ପଢ଼ନ୍ତୁ: ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ଆଲୋଚନା: ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତଥା ସହକାରୀ ଦୌରା ଜଜ ୫ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ପରେ କୌଣସି ମତେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଖାନ ଓ ସାହାରୁଖ ଖାନ କୋର୍ଟରୁ ଖସି ଫେରାର ହୋଇଯାଇଥିଲେ ।
ତେବେ ସେମାନଙ୍କ ସନ୍ଧାନରେ ନବରଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ତନାଘନା ଚଲାଇଛି । ଏନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଆମେ ଏନେଇ ଖବର ପାଇଛୁ । ନବରଙ୍ଗପୁର ଏସ୍ଡ଼ିପିଓ ଏବଂ ଥାନା ଅଧିକାରୀ ସମେତ ଏକ ଟିମ ଗଠନ କରାଯାଇ ତନାଘନା ଚାଲିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବ୍ଲକିଂ କରାଯାଇ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ: ୩ ରାଜ୍ୟର ସୀମା ସିଲ୍