ମାଲକାନଗିରି: ସୋମବାରଠାରୁ ମାଓ ସଂଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏନେଇ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ଗ୍ରାମରେ ପୋଷ୍ଟର ଏବଂ ବ୍ୟାନର ମାରିବା ସହ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଇଛି।

Advertisment

ପିଏଲଜିଏରେ ସାମିଲ ହୋଇ ଶତ୍ରୁଙ୍କ ସହ ଲଢେଇ କରି ସହିଦ ହୋଇଥିବା ନକ୍ସଲମାନଙ୍କ ଉଦ୍ଦେଶ୍ୟରେ ଏହି ସପ୍ତାହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ପିଏଲଜିଏର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବ। ଚଳିତ ବର୍ଷ ପିଏଲଜିଏକୁ ୨୪ ବର୍ଷ ପୂରଣ ହେଉଥିବାରୁ ଏହାକୁ ଧୁମଧାମ୍‌ରେ ନକ୍ସଲ ପାଳନ କରୁଥିବା ସୂଚନା ମିଳିଛି।

ନକ୍ସଲଙ୍କର ଏହି ପିଏଲଜିଏ ସପ୍ତାହକୁ ପୁଲିସ ଏବଂ ବିଏସଏଫ ଗୁରୁତର ସହ ନେଇଛନ୍ତି। ମାଲକାନଗିରିକୁ ଲାଗିଥିବା ତିନି ରାଜ୍ୟର ସୀମାକୁ ସିଲ୍ କରିଦିଆଯାଇଛି। ଯାଞ୍ଚ୍‌କୁ କଡାକଡି କରାଯାଇଛି। ଜିଲ୍ଲା ଭିତରକୁ ଆସୁଥିବା ସମସ୍ତ ଯାନବାହାନକୁ ମଧ୍ୟ କଡାକଡି ଯାଞ୍ଚ୍ କରାଯାଉଛି। ଜଙ୍ଗଲ ଭିତରେ ବିଏସଏଫ,ଏସଓଜି ଏବଂ ଡିଭିଏଫ ଯବାନ କୁମ୍ବିଂକୁ ଜୋରଦାର କରିଛନ୍ତି।ନକ୍ସଲଙ୍କର କୌଣସି ଚାଲକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।

ସେହିପରି ଗୁଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ କୁହାଯାଇଛି। ଜିଲ୍ଲାରେ ରହିଥିବା ସମସ୍ତ ଗୁଇନ୍ଦା ବିଭାଗର କର୍ମକର୍ତ୍ତାମାନେ ଗତ କିଛି ଦିନ ହେଲା ନକ୍ସଲଙ୍କ ଗତିବିଧି ଉପରେ ନଜର ରଖି ଆସୁଛନ୍ତି। ଜିଲ୍ଲାରେ ନକ୍ସଲଙ୍କର ସେତେଟା ପ୍ରଭାବ ନ ଥିବାବେଳେ ମଧ୍ୟ କୌଣସି ସମୟରେ କିଛି ବି ଘଟାଇବାକୁ ନକ୍ସଲଙ୍କର କ୍ଷମତା ରହିଛି।  ତେଣୁ ପୁଲିସ ହାତେ ମାପି ଚାଖଣ୍ଡେ ଚାଲୁଛି। ଯେପରି ବଡ ଧରଣର କୌଣସି ଅଘଟଣ ନକ୍ସଲ ନ ଘଟାନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ସହ ପୁଲିସ ଇନଫର୍ମରମାନଙ୍କୁ ନକ୍ସଲ ଟାର୍ଗେଟ କରିପାରନ୍ତି। ନକ୍ସଲ ଏହି ସମୟରେ ଲ୍ୟାଣ୍ଡମାଇନ ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବାର ବହୁ ନଜିର ରହିଛି। ତେଣୁ ନକ୍ସଲ ପ୍ରବଣ ଅଂଚଳରେ ଗସ୍ତ କରିବା ପୂର୍ବରୁ ସମସ୍ତ ଏସଓପି ପାଳନ କରାଯିବ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ଦଶ ମାସ ହେଲା ବିଧବା ଭତ୍ତା ପାଇବାରୁ ବଞ୍ଚିତ

ତେବେ ଆସନ୍ତା ୭ ଦିନ ପୁଲିସ ଏବଂ ବିଏସଏଫ ପାଇଁ ଚ୍ୟାଲେଞ୍ଜ ରହିବ। ସେହିପରି ପଡୋଶୀ ଛତିଶଗଡ,ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷାକୁ କଡାକଡି କରାଯିବା ସହ ସୀମାକୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି।ବିଶେଷକରି ଛତିଶଗଡରେ ନକ୍ସଲ ଦମନ ଅଭିଯାନକୁ ଛତିଶଗଡ ପୁଲିସ ଏବଂ ସୁରକ୍ଷାକର୍ମୀ ଜୋରଦାର କରୁଥିବାରୁ ଗତ ଏକ ବର୍ଷ ମଧ୍ୟରେ ୨୫୦ରୁ ଉର୍ଦ୍ଧ୍ବ ନକ୍ସଲଙ୍କର ମୃତ୍ୟୁ ହୋଇଛି। 

ଅଧିକ ପଢ଼ନ୍ତୁ:  ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍