ବାତ୍ୟା ପ୍ରଭାବିତ ଅଞ୍ଚଳରେ ହଣାକଟା, ୬ ଦିନ ପରେ ବି ଲୋକେ ଅନ୍ଧାରରେ 

Advertisment

ବିଦ୍ୟୁତ ସଂଯୋଗକୁ ନେଇ ହାଣିଲେ: ଜଣକ ଅବସ୍ଥା ସଂକଟାପନ୍ନ, ୯ ଗୁରୁତର

ବିଦ୍ୟୁତ ସଂଯୋଗକୁ ନେଇ ହାଣିଲେ: ଜଣକ ଅବସ୍ଥା ସଂକଟାପନ୍ନ, ୯ ଗୁରୁତର

ବାତ୍ୟା ପ୍ରଭାବିତ ଅଞ୍ଚଳରେ ହଣାକଟା, ୬ ଦିନ ପରେ ବି ଲୋକେ ଅନ୍ଧାରରେ 

ବାହାନଗା/ଗୋପାଳପୁର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ପିଇବା ପାଣି ସମସ୍ୟା ଗମ୍ଭୀର ରୂପ ଧାରଣ କରିଥିବା ବେଳେ ଲୋକେ ଆଉ ଅପେକ୍ଷା କରିବା ସ୍ଥିତିରେ ନାହାନ୍ତି। ଯଦିଓ ସରକାରୀ କଳ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି, ତାହା କିନ୍ତୁ ଲୋକଙ୍କୁ ଆଶ୍ବସ୍ତ କରିପାରୁନାହିଁ। ପ୍ରବଳ ଗରମ ଓ ଅନ୍ଧାରରେ ଲୋକେ କଲବଲ ହୋଇଗଲେଣି। ଏହାର ହିଂସାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନୂଆପୁର ଗ୍ରାମରେ। ବିଦ୍ୟୁତ ଖୁଣ୍ଟ ବସାଇବାକୁ କେନ୍ଦ୍ର କରି ଆଜି ଗାଁର ବଙ୍ଗାଳିସାହି ଓ ସେଠୀ ସାହି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ହଣାକଟାରେ ଉଭୟ ପକ୍ଷର ୯ ଜଣ ଗୁରୁତର ଆହତ ହୋଇଥିବା ବେଳେ ହରେନ୍ଦ୍ର ସେଠୀ (୭୦) ନାମକ ଜଣେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

୨୬ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା ‘ୟାସ୍’ ବାଲେଶ୍ବର ଜିଲ୍ଲାର ବାହାନାଗା ବ୍ଳକ ଅଞ୍ଚଳରେ ଭୂପତିତ ହୋଇଥିଲା। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କଲ୍ୟାଣି ପଞ୍ଚାୟତର ନୂଆପୁର ଗ୍ରାମରେ ବିଦ୍ୟୁତ ‌ସେବା ବିଚ୍ଛିନ୍ନ ହୋଇଥିଲା। ଲୋକେ ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇ ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ ବିଦ୍ୟୁତ ବିଭାଗକୁ ଅନୁରୋଧ କରିଥିଲେ। ଆଜି ବିଦ୍ୟୁତ କର୍ମଚାରୀମାନେ ଗାଁରେ ପହଞ୍ଚିବା ପରେ ଆଗ କେଉଁଠି କାମ ହେବ ତାକୁ ନେଇ ବଙ୍ଗାଳି ସାହି ଓ ସେଠୀ ସାହି ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଉଚ୍ଚବାଚ। ପରେ ଏହି ଘଟଣା ଏତେ ଭୟଙ୍କର ରୂପ ନେଇଥିଲା ଯେ, ଉଭୟ ପକ୍ଷ ପରସ୍ପରକୁ ଗୋଡ଼େଇ ଗୋଡ଼େଇ ଖଣ୍ଡା, ଭୁଜାଲି, କାତିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ।

କେବଳ ସେତିକି ନୁହେଁ, ଆହତମାନଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଗୋଟିଏ ଗୋଷ୍ଠୀ ଅଟକ ରଖିଥିଲେ। ଖବର ପାଇ ଗୋପାଳପୁର ଫାଣ୍ଡି ପୁଲିସ, ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ସେଠାରେ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହଣାକଟାରେ ଗୁରୁତର ଆହତ ହରିଶ୍ଚନ୍ଦ୍ର ଦାସ, ପ୍ରଭାତ ଚନ୍ଦ୍ର ଦାସ, ସୁଧାକର ସେଠୀ, ଅନୀଲ କୁମାର ଜେନା, ପାର୍ବତୀ ସେଠୀ, ସଂଜୟ କୁମାର ଦତ୍ତ, ପୁଷ୍ପଲତା ଦତ୍ତ, ସୁବାସ ସେଠୀଙ୍କୁ ଗୋପାଳପୁର ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଉଭୟ ଗୋଷ୍ଠୀ ଖନ୍ତାପଡ଼ା ଥାନାରେ ଲିଖିତ ‌ଅଭି‌ଯୋଗ କରିଥିବା‌ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe