ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ, ପୁଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକ

ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ, ପୁଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଅଂଚଳର ଆରଏସସି୧୩ ଗ୍ରାମରେ ଗତ କିଛି ଦିନ ତଳେ ପୁଲିସ ରାତି ଅଧରେ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ଘଟଣାରେ କଂଗ୍ରେସର ଫ୍ୟାକ୍ଟ ଫାଇଡିଂ ଟିମ ଗତ ଦିନରେ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବାବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଲୋକଙ୍କୁ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଆରଏସସି-୧୩ ଗ୍ରାମରେ ପୁଲିସର ବର୍ବରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।ପୁଲିସ ଗଂଜେଇ ଧରିବା ନାମରେ ନୀରିହ ଜନତାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା।

publive-image

ଉପସ୍ଥିତ କଂଗ୍ରେସର ନେତାମାନେ ମଧ୍ୟ ପୁଲିସର ଏହି ହିଂସାତ୍ମକ କାର୍ଯ୍ୟକଳାପ ନିନ୍ଦା କରିବା ସହ ଏନେଇ ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ। ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ରୁଣ୍ଡ ହୋଇ ନେତାଙ୍କ ଭାଷଣ ଶୁଣୁଥିଲେ।ଏହି ବୈଠକରେ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନା କରାଯାଇଥିଲା। ପରେ ନେତାଙ୍କ ଉତ୍ତେଜିତ ଭାଷଣରେ କିଛି ଲୋକ ବ୍ଲକ କାର୍ଯ୍ୟାଳୟରେ ରହିଥିବା ବେଳେ ଆଉ କିଛି ଲୋକ ଥାନା ଆଡକୁ ଦୌଡିଥିଲେ। ଶହ ଶହ ଲୋକ ଥାନାରେ ପଶି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଯାହା ପାରିଲେ ତାକୁ ଭାଙ୍ଗି ଚାଲିଲେ। ଥାନା ସମ୍ମୁଖରେ ଥିବା ବୋଲେରୋ ଗାଡିକୁ ଭାଙ୍ଗି ଦେଇଥିଲେ। ଏପରିକି ଫୁଲକୁଣ୍ଡଗୁଡିକୁ ମଧ୍ୟ ଭାଙ୍ଗି ଚୁରମାର କରିଦେଇଥିଲେ। ତେବେ ଥାନା ଭିତରକୁ ପଶିପାରିନଥିଲେ।

publive-image

ଉତ୍ୟକ୍ତ ଲୋକେ ଥାନାର ଚାରିପଟେ ଘେରି ପୁଲିସ ବିରୋଧରେ ସ୍ଲୋଗାନ ଦେଇ ଚାଲିଥିଲେ। ଦୀର୍ଘ ଦିନ ପରେ ଲୋକଙ୍କର ଏଭଳି ରାଗ ଦେଖିବାକୁ ମିଳିଥିଲା। ଏହି ଅଂଚଳରେ ନକ୍ସଲ ପୂର୍ବରୁ ଏଭଳି ଘଟଣା ଘଟାଉଥିଲେ। ଏବେ ନକ୍ସଲ ନଥିଲେ ମଧ୍ୟ ନକ୍ସଲଙ୍କ ଭଳି ଆଚରଣ କରାଯାଇଥିବା ଦେଖିବାକୁ ମିଳିଥିଲା। ଲୋକେ ପୁଣି ନକ୍ସଲ ଆଡକୁ ମୁହାଁଇବେ ବୋଲି ଆଲୋଚନା ଜୋର ହେଉଥିଲା। ପୁଲିସର ଏଭଳି ଅତ୍ୟାଚାର ଏବଂ ବିଶେଷକରି ମହିଳାମାନଙ୍କୁ ଆକ୍ରମଣ କରିବା ଭିରୁତାର ପରିଚୟ ବୋଲି କୁହାଯାଇଥିଲା। ଚିତ୍ରକୋଣ୍ଡା ଅଂଚଳର ହଜାର ହଜାର ଲୋକ ଏଭଳି ରୁଣ୍ଡ ହେବା ଆଗକୁ ପୁଣି ନକ୍ସଲଙ୍କୁ ଏହା ସୁହାଇବ ବୋଲି କୁହାଯାଇଛି। ତୁରନ୍ତ ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe