କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଜଣେ ଯୁବକ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବକଙ୍କ ନାମ ବିଶ୍ୱ ରଞ୍ଜନ ପରିଡା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ବିଶ୍ୱ ରଞ୍ଜନ ପରିଡ଼ାଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ପତ୍ରପୁର ଅଞ୍ଚଳରେ ଗତକାଲି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରିବାକୁ ଏକ ଟିମକୁ ପଠାଯାଇଥିଲା। ସ୍ୱାବ ସଂଗ୍ରହ ଚାଲୁଥିବା ବେଳେ ବିଶ୍ୱରଞ୍ଜନ ନାମକ ଯୁବକ ସେଠାରେ ପହଞ୍ଚି ସ୍ୱାବ ସଂଗ୍ରହ କରୁଥିବା କରୋନା ଯୋଦ୍ଧାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ସ୍ୱାବ ସଂଗ୍ରହ ବନ୍ଦ କରିବାକୁ କହି ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଉକ୍ତ କରୋନା ଯୋଦ୍ଧା । ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ବିଡ଼ିଓ ଓ ପୁଲିସ ଅଧିକାରୀ ପହଞ୍ଚିଥିଲେ। ଉକ୍ତ ଯୁବକଙ୍କୁ ପୁଲିସ ମଧ୍ୟ ଅଟକ ରଖିଛି ।
ଏ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାପୂର୍ବରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
Follow Us