ସାମ୍ବାଦିକଙ୍କୁ ମହିଳା କନଷ୍ଟେବଳଙ୍କ ମାଡ଼; ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ; ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ସାମ୍ବାଦିକଙ୍କୁ ମହିଳା କନଷ୍ଟେବଳଙ୍କ ମାଡ଼; ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ; ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସର୍ବସାଧାରଣରେ ମହିଳା କନଷ୍ଟେବଳ ଜଣେ ଓ୍ବେବ୍‌ଚ୍ୟାନେଲର ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି‌ରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ଜିଲ୍ଲାର ସମସ୍ତ ୫ ବିଧାୟକଙ୍କୁ ସାମ୍ବାଦିକମାନେ ତାଲା ପକାଇ ଅଟକ ରଖିଥିଲେ। ସୂଚନା ଅନୁସାରେ, କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା ଚାଲିଥିଲା। ସାମ୍ବାଦିକମାନେ ସେଠାରେ ପହଞ୍ଚିବା ପରେ ଜଣେ ମହିଳା କନଷ୍ଟେବଳ ମାସ୍କ ପିନ୍ଧି ନ ଥିଲେ। ଏକ ଓ୍ବେବ୍‌ ଚ୍ୟାନେଲର ସାମ୍ବାଦିକ ଭୀମସେନ ସେଠୀ ମାସ୍କ ପିନ୍ଧି ନ ଥିବା ମହିଳା କନଷ୍ଟେବଳଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ମହିଳା କନଷ୍ଟେବଳ ପିନୁ ନାୟକ ବିଚ୍‌ ରାସ୍ତାରେ ସାମ୍ବାଦିକଙ୍କୁ ଚାପୁଡା ମାରିଥିଲେ। ଏପରିକି ଅନ୍ୟ ଦୁଇଜଣ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ। ମହିଳା କନଷ୍ଟେବଳ ସାମ୍ବାଦିକଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏ ସଂପର୍କରେ ସାମ୍ବାଦିକ ଭୀମସେନ ସେଠୀ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

publive-image Sambad

ଏହାର ପ୍ରତିବାଦରେ ଆଜି ସାମ୍ବାଦିକମାନେ ଜିଲ୍ଲା ପୁଲିସ ପ୍ରଶାସନ ବିରୋଧରେ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଭିଡିଓ କନ୍‌ଫରେନସିଂ ବୈଠକରେ ଯୋଗ ଦେବାକୁ ଆସିଥିବା ଜିଲ୍ଲାର ୫ ବିଧାୟକଙ୍କୁ ସାମ୍ବାଦିକମାନେ କାର୍ଯ୍ୟାଳୟ ଭିତରୁ ବାହାରକୁ ଆସିବାକୁ ଦେଇ ନ ଥିଲେ। ଜଣେ ବିଧାୟକ ଘଟଣା ସଂପର୍କରେ ଜାଣି ନାହାନ୍ତି ବୋଲି କହିବା ପରେ ସାମ୍ବାଦିକମାନେ ପ୍ରତିକ୍ରିୟାଶୀଳ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଘଣ୍ଟାଏରୁ ଅଧିକ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରକୁ ବାହାରି ପାରି ନ ଥିଲେ। ବିଧାୟକମାନେ ସାମ୍ବାଦିକଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରି ଏ ପ୍ରକାର ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ପ୍ରତିଶ୍ରୁତି ଦେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ଖୋଲାଯାଇଥିଲା। ଅନ୍ୟପକ୍ଷରେ ମାଡ଼ ମାରିଥିବା ମହିଳା କନଷ୍ଟେବଳଙ୍କୁ ଗିରଫ ଓ ନିଲମ୍ବନ ଦାବି କରି ସାମ୍ବାଦିକମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଦାବିପତ୍ର ଦେଇଛନ୍ତି। ଏସପିଙ୍କ ସହିତ କଥା ହୋଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe