ପିଆରଏମରୁ ନବଜାତକ ଶିଶୁକନ୍ୟା ଚୋରି

ଅଧଘଣ୍ଟା ମଧ୍ୟରେ ଦୁଇ ମହିଳା ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍

ପିଆରଏମରୁ ନବଜାତକ ଶିଶୁକନ୍ୟା ଚୋରି

ବାରିପଦା : ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସ୍ଥାନୀୟ ପିଆରଏମ ହସ୍ପିଟାଲରୁ ମାତ୍ର ୪ ଦିନର ଏକ ଶିଶୁକନ୍ୟାକୁ ଚୋରି ଉଦ୍ୟମ ହୋଇଛି । ଦୁଇ ମହିଳା ଶିଶୁକନ୍ୟାର ତଦାରଖ ଦାୟିତ୍ବରେ ଥିବା ଜଣେ ମହିଳାଙ୍କୁ ପିଲା ଧରିବାକୁ କହିବା ସହିତ ବିଭିନ୍ନ ଆଳରେ ନିଜ ପାଖକୁ ନେଇଥିଲେ। ପରେ ଅତ୍ୟନ୍ତ ସନ୍ତର୍ପଣର ସହିତ ହସ୍ପିଟାଲରୁ ଚମ୍ପଟ୍ ମାରିଥ‌ିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ବାରିପଦା ଟାଉନ୍ ଥାନା ପୁଲିସ୍ ମାତ୍ର ଅଧଘଣ୍ଟା ମଧ୍ୟରେ ଏହି ଚୋରିରେ ସଂପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଝାରପୋଖରିଆ ଥାନା କେନ୍ଦୁଡ଼ିହା ଅଞ୍ଚଳର ସାଲେଇ ବାସ୍କେ ଓ ରାଇମଣି ଟୁଡୁଙ୍କର ୪ ଦିନ ତଳେ ପିଆରଏମରେ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। ଆଜି ଉକ୍ତ ଶିଶୁକନ୍ୟାର ତଦାରଖ ଦାୟିତ୍ବରେ ଥିବା ରାଇମଣିଙ୍କ ଯାଆ’ଙ୍କ ନିକଟରୁ ଅଭିଯୁକ୍ତ ମହିଳା ଦୁଇଜଣ ଅତ୍ୟନ୍ତ ଚତୁରତାର ସହିତ ଶିଶୁକୁ ନେଇଯାଇଥିଲେ। ଏହାପରେ ହସ୍ପିଟାଲରୁ ଚାଲି ଚାଲି କରତବସା ପର୍ଯ୍ୟନ୍ତ ପଳେଇଥିଲେ। ଗିରଫ ଦୁଇ ମହିଳା ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ସହରଙ୍ଗପୁର ଅଞ୍ଚଳର ରବି ସିଂଙ୍କ ଝିଅ ସୀମା ସିଂ(୧୮) ଏବଂ ଚାନ୍ଦୁଆ ଥାନା ନାଗଶୋଳ ମିନାକ୍ଷୀ ବେହେରା(୧୯)। ଏନେଇ ଟାଉନ୍ ଥାନରେ ୧୬୨/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଅଭିଯୋଗ ପାଇବାର ମାତ୍ର ଅଧଘଣ୍ଟା ମଧ୍ୟରେ ଶିଶୁଚ‌ୋରି ଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ ବାରିପଦା ଟାଉନ୍ ଥାନା ପୁଲିସକୁ ସବୁଠି ପ୍ରଶଂସା କରାଯାଉଛି। ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିଶୁକନ୍ୟା ଉଦ୍ଧାର ଅପରେସନ କରାଯାଇଥିଲା ।

ନବଜାତକ ଶିଶୁକନ୍ୟାଙ୍କ ବାପା ଦିବ୍ୟାଙ୍ଗ

ଆଜି ଚୋରି ହୋଇଥିବା ନବଜାତକ ଶିଶୁକନ୍ୟାଙ୍କ ପିତା ଜଣେ ଦିବ୍ୟାଙ୍ଗ ବୋଲି ଜଣାପଡ଼ିଛି । ସେହିପରି ମା’ ମଧ୍ୟ ଜଣେ ସରଳ ମହିଳା। ଏହାର ସୁଯୋଗ ନେଇ ଦୁଇ ଅଭିଯୁକ୍ତ ମହିଳା ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଚୋରି କରିବା ପରେ ଅଭିଯୁକ୍ତମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ତେବେ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଫଳରେ ଅଭିଯୁକ୍ତମାନେ ଧରାପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe