ବିଦ୍ୟାପୀଠ ସହ ମିଶ୍ରଣ ହେଲା ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟ

Advertisment

ଅସ୍ବାସ୍ଥ୍ୟକର ପରିବେଶରେ ପାଠ ପଢ଼ୁଛନ୍ତି ପିଲା

ଅସ୍ବାସ୍ଥ୍ୟକର ପରିବେଶରେ ପାଠ ପଢ଼ୁଛନ୍ତି ପିଲା

ବିଦ୍ୟାପୀଠ ସହ ମିଶ୍ରଣ ହେଲା ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟ

Sambad

ବାଙ୍କୀ: ପିଲାଙ୍କୁ ଉନ୍ନତ ପରିବେଶରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୧୯୫୮ ମସିହାରେ ସ୍ଥାପନ କରାଯାଇଥିବା ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସହ ମିଶ୍ରଣ କରାଯାଇଥିଲା। ଇତିମଧ୍ୟରେ ଶତବାର୍ଷିକୀ ପାଳନ କରିଥିବା ଏହି ବିଦ୍ୟାପୀଠକୁ ରୂପାନ୍ତରିତ ବିଦ୍ୟାଳୟରେ ପରିଣତ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତମାନର ଶିକ୍ଷାଦାନ ପଦ୍ଧତି ସହ ବିଶୁଦ୍ଧ ପାନୀୟଜଳ, ସ୍ବଚ୍ଛ ପରିବେଶ, ଗ୍ରନ୍ଥାଳୟ, ଶୌଚାଳୟ ଆଦିର ବନ୍ଦୋବସ୍ତ କରାଯାଇଛି। ହେଲେ, ଉକ୍ତ ବିଦ୍ୟାଳୟରେ ମିଶ୍ରଣ ହୋଇଥିବା ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ୩୦ଜଣ କୋମଳମତି ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଥିବା ଏବଂ ସେମାନଙ୍କ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟାପୀଠରେ ମିଶ୍ରଣ ସତ୍ତ୍ବେ ସେମାନେ ପୂର୍ବଭଳି ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ସମ୍ପ୍ରତି ବର୍ଷା ଋତୁରେ ସରିସୃପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିଲା ବେଳେ ବିଦ୍ୟାଳୟ ଚତୁଃପାର୍ଶ୍ବ ଅରମାବଣରେ ପରିପୂର୍ଣ୍ଣ ହୋଇଥିବା ଦେଖାଯାଇଛି। ଫଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ମଧ୍ୟାହ୍ନଭୋଜନ ରୋଷେଇ ପରେ ମୁଖ୍ୟରାସ୍ତା ଦେଇ ଖମାରଙ୍ଗ ବିଦ୍ୟାଳୟକୁ ନିଆଯାଉଛି। ଏହାଛଡ଼ା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଇଁ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଯତ୍ନବାନ ହେବା ସହ ରୂପାନ୍ତରିତ ବିଦ୍ୟାଳୟର ସମସ୍ତ ସୁବିଧା ଉପଲବ୍ଧ କରାଇବା ଲାଗି ଅଞ୍ଚଳର ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି। ସେହିପରି ରୂପାନ୍ତରିତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ଯୋଗୁଁ ପୂର୍ବଭଳି ଖମାରଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଶିକ୍ଷାଦାନ ଜାରି ରହିଛି ବୋଲି ବ୍ଲକ୍‌ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା କହିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ପରିସର ସଫା କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ, ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପରେ ଆଜି ବିଦ୍ୟାଳୟ ପରିସରରେ ଅନାବନା ଗଛଲତା ସଫେଇ ଆରମ୍ଭ ହୋଇଥିବା ଜଣାଯାଇଛି। ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟରେ କେବଳ ୩୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଅଭାବ ରହିବା ଘଟଣାକୁ ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe