ସହିଦ ପୀଠରୁ ଆଜାଦୀ କି ଅମୃତ ମହୋତ୍ସବର ଶୁଭାରମ୍ଭ

ସହିଦ ପୀଠରୁ ଆଜାଦୀ କି ଅମୃତ ମହୋତ୍ସବର ଶୁଭାରମ୍ଭ

Sambad

ବୈପାରିଗୁଡା: ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ ଅବସରରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆଜି ସହିଦ ପୀଠ ତେନ୍ତୁଳିଗୁମ୍ମା ଠାରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ତେନ୍ତୁଳିଗୁମ୍ମାସ୍ଥିତ ସେବାଶ୍ରମର ଛାତ୍ରଛାତ୍ରୀ ଦ୍ଵାରା ପ୍ରଭାତ ଫେରି ସହ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ଛାତ୍ରଛାତ୍ରୀଙ୍କ ସହ ତେନ୍ତୁଳିଗୁମ୍ମା ଠାରେ ଅବସ୍ଥାପିତ ୧୫୧ ବାଟାଲିୟନ ବିଏସଏଫ ଯବାନମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପରେ ଗ୍ରାମର ଯୁବ ସମାଜ ଏବଂ ବିଏସଏଫ ଯବାନମାନେ ମିଳିତ ଭାବେ ମଟର ସାଇକେଲ ରାଲି କରି ତେନ୍ତୁଳିଗୁମ୍ମା ଏବଂ ଆଖପାଖ ଗ୍ରାମ ପରିକ୍ରମା କରିବା ସହ ଅମୃତ ମହୋତ୍ସବର ବାର୍ତ୍ତା ବାଣ୍ଟିଥିଲେ। ପୂର୍ବାହ୍ନ ସାଢ଼େ ବାରଟା ସମୟରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରାଯାଇଥିଲା।

ସହିଦଙ୍କ ଅଣନାତିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବା ପରେ ସାଧାରଣ ସଭାର ଆୟୋଜନ କରାଯାଇ ସହିଦ ଲକ୍ଷ୍ମଣ ନାୟକଙ୍କ ସମେତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଦେଶ ପାଇଁ ଦେଇଥିବା ବଳିଦାନ ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା। ଏଥିସହିତ ଗ୍ରାମବାସୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ମହୋତ୍ସବରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ, ବିଜେଡ଼ି ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା, ଓ୍ବାର୍ଡ ମେମ୍ବର, ଦୋରାଗୁଡା ପଞ୍ଚାୟତର ସମିତି ସଭ୍ୟ ତ୍ରିଲୋଚନ ଜେନା, ହଳଦୀଗୁଣ୍ଡ ସମିତି ସଭ୍ୟ ବିଭିଷଣ ହନ୍ତାଳ, ପିଇଓ ଗତି କୃଷ୍ଣ ପାଙ୍ଗି, ଜିଆରଏସ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe