ଉପରମୁଣ୍ଡରୁ ବର୍ଷା ଗାଏବ, ଶୁଖିଲା ପଡ଼ିଛି ବଡ଼ନାଳ ଜଳସେଚନ ପ୍ରକଳ୍ପ

ଶାଖା କେନାଲରେ ଆସୁନି ପାଣି, ଖରିଫ୍ ଚାଷ ବାଧାପ୍ରାପ୍ତ

ଉପରମୁଣ୍ଡରୁ ବର୍ଷା ଗାଏବ, ଶୁଖିଲା ପଡ଼ିଛି ବଡ଼ନାଳ ଜଳସେଚନ ପ୍ରକଳ୍ପ

ରାୟଗଡ଼ା: ବର୍ଷା ଆଶାରେ ଖରାଦିନେ ଡ୍ୟାମରୁ ପାଣି ଛାଡ଼ିଦେଲେ। ରବି ଚାଷ ପାଇଁ ଆବଶ୍ୟକଠୁ ଅଧିକ ପାଣି ବୋହି ଯିବା ପରେ ଏବେ ଶୁଖିଲା ପଡିଛି ଡ୍ୟାମ୍। ଆଷାଢ଼ ସରି ଶ୍ରାବଣକୁ ଆସିବାକୁ ବସିଥିଲେ ମଧ୍ୟ ବର୍ଷାର ଦେଖାନଥିବା ଯୋଗୁ ଖରିଫ୍ ଚାଷ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଶାଖା କେନାଲରେ ପାଣି ଆସୁନଥିବାରୁ ଡ୍ୟାମ ଜଳ ପରିଚାଳନାରେ ହୋଇଥିବା ବିଭ୍ରାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ।

ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ଗୁଣପୁର କୃଷି ଜିଲ୍ଲାରେ ଖରିଫ୍ ଋତୁରେ ୧୮ ହଜାର ୪୨୨ ହେକ୍ଟର ଜମିରେ ଧାନ ଚାଷ ହେଉଛି। ଏଥି ମଧ୍ୟରୁ ଗୁଡାରି, ରାମନାଗୁଡା, ପଦ୍ମପୁର, ଗୁଣପୁର ବ୍ଲକର ୯ ହଜାରରୁ ଉର୍ଧ୍ବ ହେକ୍ଟର ଜମିକୁ ବଡ଼ନାଳ ଜଳସେଚନ ପ୍ରକଳ୍ପ ଶାଖା କେନାଲ ମାଧ୍ୟମରେ ପାଣି ଯୋଗାଉଛି। ଡ୍ୟାମର ଜଳଧାରଣ କ୍ଷମତା ୧୭୬ ମିଟର ଥିବା ବେଳେ ଏବେ ଜଳ ଭଣ୍ଡାରର ଜଳସ୍ତର ୧୬୮ ମିଟର ରହିଛି। ଗଚ୍ଛିତ ଥିବା ଜଳ ଡ୍ୟାମର ମଧ୍ୟଭାଗରେ ଜମି ରହିଥିବାରୁ କେନାଲକୁ ସଂଯୋଗ ହୋଇଥିବା ସ୍ପିଲ୍ ୱେ ନିକଟରେ ଖରିଫ୍ ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି ନାହିଁ। ଯେଉଁ ପରିମାଣର ପାଣି ସ୍ପିଲ୍ ୱେ ନିକଟରେ ଅଛି ତାହା ଯଦି ଶାଖା କେନାଲରେ ଛଡ଼ାଯିବ ମାତ୍ର ୧୫ ଦିନରେ ସରିଯିବ। ବର୍ଷା ଅଭାବ ଯୋଗୁ ତଳି ଭଲ ହୋଇନଥିବାରୁ ଗୁଣପୁର କୃଷି ଜିଲ୍ଲାର ୮୦ ପ୍ରତିଶତ ଚାଷଜମିରେ ରୁଆ ବେଉଷଣ ଶେଷ ହୋଇନି। ଏପରି ସ୍ଥିତିରେ ଦୁଇ ଦିନ ତଳେ ଶେଷ ହୋଇଥିବା ପାଣି ପଞ୍ଚାୟତ ବୈଠକରେ ୨୨ ତାରିଖରୁ ବଡ଼ନାଳ ଶାଖା କେନାଲରେ ପାଣି ଛାଡ଼ିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି।

ବଡ଼ନାଳ ଡ୍ୟାମର ଅବବାହିକା କ୍ଷେତ୍ର ଗଜପତି ଜିଲ୍ଲାର ମୋହନା ଏବଂ ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଅଞ୍ଚଳରେ ରହିଛି। ଏହି ଅଞ୍ଚଳରେ ବର୍ଷା ପରିମାଣ ବଢ଼ିଲେ ଡ୍ୟାମ୍ ଜଳସ୍ତର ସ୍ବାଭାବିକ ରହିଥାଏ। ଚଳିତ ବର୍ଷ ଜୁନ୍, ଜୁଲାଇରେ ମୋହନା ଏବଂ ପଦ୍ମପୁର ବ୍ଲକରେ ଆଶାତୀତ ବର୍ଷା ହୋଇନି। ମୋହନ ବ୍ଲକରେ ଜୁନ୍ ମାସରେ ମୋଟ ୧୨୩ ମିମି ଓ ଜୁଲାଇ ମାସରେ ୨୧୨.୬ ମିମି ବର୍ଷା ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ବହୁତ କମ୍। ୨୦୨୦ ଜୁନରେ ମୋହନା ବ୍ଲକରେ ୨୪୭ ମିମି, ଜୁଲାଇରେ ୨୨୬ ମିମି ବର୍ଷା ହୋଇଥିଲା। ସେହିପରି ପଦ୍ମପୁର ବ୍ଲକରୁ ମଧ୍ୟ ବର୍ଷା ଗାଏବ ହୋଇଯାଇଛି। ଚଳିତ ଜୁନରେ ପଦ୍ମପୁରରେ ମୋଟ ୧୦୮.୫ ଏବଂ ଜୁଲାଇରେ ୯୫.୭ ମିମି ବର୍ଷା ହୋଇଛି। ୨୦୨୦ ଜୁନରେ ପଦ୍ମପୁରରେ ୧୨୪.୫ ମିମି ଏବଂ ଜୁଲାଇରେ ୨୭୬.୯ ମିମି ବର୍ଷା ହୋଇଥିଲା।

ଏ ସଂପର୍କରେ ବଡ଼ନାଳ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କୁ ପଚାରିବାରୁ ଆସନ୍ତା ୧୫ ଦିନ ପାଇଁ ଚାଷ ଜମିକୁ ପାଣି ଛାଡ଼ିବାକୁ ଡ୍ୟାମରେ ଜଳ ଗଚ୍ଛିତ ଅଛି। ଡ୍ୟାମରେ ବର୍ତ୍ତମାନ ୮ ମିଟର କମ୍ ପାଣି ଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଯଦି ବର୍ଷା ସ୍ବାଭାବିକ ନ ହୁଏ ତାହାହେଲେ ଖରିଫରେ ପାଣି ଯୋଗାଇବା ସମ୍ଭବପର ହେବନି ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ଅନ୍ୟପକ୍ଷରେ ବଡ଼ନାଳ ଜଳଭଣ୍ଡାର ନିକଟରେ ଥିବା ଶରଧାପୁର, କେନ୍ଦୁଗୁଡ଼ା ଗ୍ରାମର ଚାଷ ଜମିକୁ ପାଣି ମିଳୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଦୁଇ ଗାଁ ଜଳ ଭଣ୍ଡାର ପାର୍ଶ୍ବରେ ରହିଛି। ଶାଖା କେନାଲ ତଳ ମୁଣ୍ଡ ଦେଇ ଯାଇଥିବାରୁ ଜଳସେଚନ ସୁବିଧା ହୋଇପାରୁନି। ଲିପ୍ଟ ପଏଣ୍ଟ୍ କରି କେନାଲ ମାଧ୍ୟମରେ ପାଣି ଯୋଗାଇବାକୁ ଚାଷୀ ଦାବି କରି ଆସୁଛନ୍ତି। କିନ୍ତୁ ନୂତନ କେନାଲ ନିର୍ମାଣ ପାଇଁ ଅନୁଦାନ ମିଳୁନଥିବାରୁ ବିଭାଗ ଚାଷୀଙ୍କ ଦାବି ପୂରଣ କରିବାରେ ସକ୍ଷମ ହେଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe