ଶେଷ ହେଲା ଗଣପର୍ବ ‘ବଡଯାତ୍ରା’, ମାଣ୍ଡିଆ ଭଟ୍ଟାରୁ ମାଉଲୀ ମା’ମନ୍ଦିରରେ ପୂଜା ପାଇ ଫେରିଲେ ଦେବୀ

Advertisment
ଶେଷ ହେଲା ଗଣପର୍ବ ‘ବଡଯାତ୍ରା’, ମାଣ୍ଡିଆ ଭଟ୍ଟାରୁ ମାଉଲୀ ମା’ମନ୍ଦିରରେ ପୂଜା ପାଇ ଫେରିଲେ ଦେବୀ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ଗଣପର୍ବ ବଡଯାତ୍ରା ଶେଷ ହୋଇଛି। ମାଣ୍ଡିଆ ଭଟ୍ଟାରୁ ମାଉଲି ମା’ଙ୍କ ମନ୍ଦିରରେ ଦୁଇ ଦିନ ପୂଜା ପାଇବା ପରେ ଦେବୀ ଫେରିଯାଇଛନ୍ତି। ପୁଣି ଦୁଇବର୍ଷ ପରେ ତିନି ଠାକୁର ଏବଂ ମା’ ମୁତ୍ୟୁଲମ୍ମା ମାଲକାନଗିରି ଆସିବେ। ଗତ ଦୁଇଦିନ ହେଲା ମାଲକାନଗିରିରେ ଚାରି ରାଜ୍ୟର ହଜାର ହଜାର ଭକ୍ତ ଠାକୁର ଦର୍ଶନ ପାଇଁ ଭିଡ ଜମାଇଛନ୍ତି। ମା’ଙ୍କ ନିକଟରେ ମାନସିକ କରିଥିବା ଭକ୍ତ ତାଂକୁ ଶ୍ରଦ୍ଧାରେ ବଳି ଦେଉଥିବା ଦେଖିବାକୁ ମିଳିଛି।

publive-image Sambad

ପ୍ରଶାସନ ବଳିକୁ ନିଷିଦ୍ଧ କରିଥିଲେ ମଧ୍ୟ ଭକ୍ତ ନିଜର ମାନସିକ ପୂରଣ ନେଇ ଠାକୁର ନିକଟରେ ଭକ୍ତିରେ ବଳି ଦେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପୁଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କରୋନାକୁ ଆଖିଆଗରେ ରଖି ବ୍ୟାରିକେଡ କରାଯାଇଥିଲା। ଭକ୍ତ ଲାଇନରେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ମଧ୍ୟ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମଧ୍ୟ କରୋନାକୁ ନେଇ ସଚେତନ କରାଯିବା ସହ ମାଗଣାରେ ମାସ୍କ ପ୍ରଦାନ କରାଯାଉଥିଲା।

publive-image Sambad

ଭକ୍ତ ମାସ୍କ ପରିଧାନ ନକଲେ ଜରିମାନା ଆଦାୟ ନେଇ ଘୋଷଣା କରାଯିବା ପରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ ସତ କିନ୍ତୁ ସାମାଜିକ ଦୂରତାକୁ ଭୁଲିଯାଇଥିଲେ। ହଜାର ହଜାର ଦର୍ଶକ ଯେପରି ଭକ୍ତିରେ ଲୀନ ହୋଇଯାଇଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମର ଶହଶହ ଲାଠି ଠାକୁରଙ୍କ ନିକଟରେ ପହଞ୍ଚିଥିଲା। ରାତିରେ କର୍ଫ୍ୟୁ ଲାଗିଥିବାରୁ ଠାକୁରଙ୍କ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା ଠିକ୍‌ ସମୟ ମଧ୍ୟରେ କରାଯାଉଥିଲା। ରାତି ୯ଟା ପରେ ମାଲକାନଗିରି ଶୂନଶାନ ହୋଇଯାଉଥିଲା। ମୀନାବଜାର ନଥିବାରୁ ଗହଳି ଚହଳି ନଥିଲା। ହଜାର ହଜାର ଲୋକ ରାତି ୯ଟା ବେଳକୁ କେଉଁଆଡେ ଚାଲିଯାଉଥିଲେ ଜଣାପଡୁନଥିଲା। ଚଳିତ ବର୍ଷ ବ୍ୟବସାୟରେ ମଧ୍ୟ ମାନ୍ଦା ପଡିଥିବା ଦେଖିବାକୁ ମିଳିଥିଲା। ଉଠା ଦୋକାନୀଗୁଡିକ କାଁ ଭାଁ ହିଁ ଆସିଥିଲେ। ରାସ୍ତା କଡରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିଲା ସତ କିନ୍ତୁ ବେପାର ଜମିନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe