କାଳିଆପାଣି: ସୁକିନ୍ଦା ବ୍ଲକ୍ କଅଁସ ଓ କାଳିଆପାଣି ପଞ୍ଚାୟତର ୫ଟି ଗାଁ କମର୍ଦ୍ଦା, ହାତୀହୁଡ଼ି, ବାଲିପୁରା(ବାଲିପଡ଼ା) ବାଘରାଇ ସାହି, ଶ୍ୟାମସାହି ଓ ଚିରିଗୁଣିଆ ମାଝିସାହିରେ ଗତକାଲି ଆଞ୍ଚଳିକ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଗଣପର୍ବ ବାହାବଙ୍ଗା ଉଦ୍ଯାପିତ ହୋଇଛି। ଶୁକ୍ରବାରରୁ ରବିବାର ୩ ଦିନ ଧରି ନିମନ୍ତ୍ରିତ ଅତିଥି, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ନାଚିନାଚି ଗାଁର ଉପାସନା ସ୍ଥଳରେ ପ୍ରକୃତି ଓ ଫୁଲପୂଜା କରିଥିଲେ। ଗାଁ ପାଖ ଜଙ୍ଗଲର ଶାଳଗଛ ଓ ବସନ୍ତ ଋତୁରେ ନୂଆକରି ଫୁଟୁଥିବା ଜଙ୍ଗଲୀ ଫୁଲକୁ ନେଇ ପାଳନ କରାଯାଉଥିବା ଏହି ମଉଛବରେ ଆବାଳ ବୃଦ୍ଧବନିତା ଉପବାସ ରଖିବା ସହ ପାରମ୍ପରିକ ସାନ୍ତାଳୀ ନୂଆ ବସ୍ତ୍ର ପିନ୍ଧି ପୂଜାରେ ସାମିଲ ହୋଇଥିଲେ। ପର୍ବର ଦିନକ ପୂର୍ବରୁ ବଙ୍ଗାଉମ୍ରେ ଉପାସନା ସ୍ଥଳ ଜାହେରଗାଳ(ଶାଳ)ରେ ପୂଜା ପାଉଥିବା ୩ ଦେବଦେବୀ ଜାହେରଆୟ, ମାରାଂବୁରୁ ଓ ମଣେକ ଲିଟା ଗସାଏଁଙ୍କୁ ସ୍ନାନ କରାଯାଇଥିଲା। ଗତକାଲି ମୁଖ୍ୟପର୍ବ ଦିନ(ମୁଲୁଃମଣେଃମାହା)ରେ ସକାଳୁ ନାଇକେ(ପୂଜକ)ଙ୍କ ଅଗଣାରେ ଗ୍ରାମବାସୀ ଏକାଠି ହେବା ପରେ ସ୍ବତନ୍ତ୍ର ପୂଜାପାଠ କରାଯାଇଥିଲା। ଏଠାରୁ ସମସ୍ତେ ଶୋଭାଯାତ୍ରାରେ ନାଚିନାଚି ଜାହେରଗାଳ ଯାଇଥିଲେ। ପୂଜାପାଠ ଓ ମନ୍ତ୍ରରେ ଜଙ୍ଗଲରେ ନୂଆକରି ଫୁଟିଥିବା ଶାଳଫୁଲ, ଆମ୍ବଫୁଲ(ବଉଳ), ମହୁଲଫୁଲ ଓ ଅନ୍ୟାନ୍ୟ ଜଙ୍ଗଲୀ ଫୁଲକୁ ଠାକୁରଙ୍କ ଠାରେ ଲାଗି କରାଯାଇଥିଲା। ସମସ୍ତେ ଏହି ଛଡ଼ାଫୁଲକୁ ନିଜନିଜ କାନରେ ଖୋସି ନାଗରା ଓ ମାଦଳର ତାଳେତାଳେ ନୃତ୍ୟକରି ଗାଁ ପରିକ୍ରମା କରିଥିଲେ। ପୂଜାସ୍ଥଳରେ ଏକ ବୋଦାକୁ ପୂଜା କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ପରେ ବ୍ରତଧାରୀଙ୍କ ପକ୍ଷରୁ ମାନସିକ ରଖା ଯାଇଥିବା ଗଞ୍ଜା ଓ ବୋଦା ବଳି ଦିଆଯିବା ପରେ ପ୍ରତିଘରୁ ସଂଗୃହୀତ ଚାଉଳକୁ ନେଇ ନୂଆ ମାଟିହାଣ୍ଡିରେ ରୋଷେଇ କରାଯାଇଥିଲା। ନାଇକେ ଏହାକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ପରେ ସମବେତ ବ୍ରତଧାରୀ ଶଳେଃ ପର୍ବରେ ସାମୂହିକ ପ୍ରସାଦ ସେବନ କରି ଉପବାସ ଭାଙ୍ଗିଥିଲେ।
୫ ଗାଁରେ ପାଳିତ ହେଲା ବାହାବଙ୍ଗା ପର୍ବ
Advertisment
Follow Us