କାଙ୍କଣଶିଖରୀ ଚିଲିକା ଜଳରେ ନନ୍ଦିଘୋଷ ଯାତ୍ରା, ବାହୁଡିଲେ ମହାବାହୁ

କାଙ୍କଣଶିଖରୀ ଚିଲିକା ଜଳରେ ନନ୍ଦିଘୋଷ ଯାତ୍ରା, ବାହୁଡିଲେ ମହାବାହୁ

Sambad

ଚିଲିକା: ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ଐତିହ୍ୟ କ୍ଷେତ୍ର ଚିଲିକା ହ୍ରଦର ନୀଳ ଜଳରାଶି ପରିବେଷ୍ଟିତ କାଙ୍କଣଶିଖରୀରେ ଶ୍ରୀଜୀଉ ଚତୁର୍ଦ୍ଧା ଠାକୁରଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳର ସମସ୍ତ ନୀତିକାନ୍ତି ଓ ପୂଜା ସରିବା ପରେ ଶ୍ରୀଗୁଣ୍ଡିଚା ଘରର ପ୍ରତୀକାତ୍ମକଲୀଳା ମଣ୍ଡପରେ ନବଦିନ ରହଣୀ ସାରି ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କ ସହିତ ସୁଦର୍ଶନ ଠାକୁରଙ୍କ ମେଳରେ ସୁସଜ୍ଜିତ ବେଶପରିପାଟି ଓ ସେନାପଟା ଲାଗି କରାଇ ପୂଜକ ଓ ସେବାୟତ ମାନେ ଚିଲିକା ଜଳରେ ପ୍ରସ୍ତୁତ ରହିଥିବା ନନ୍ଦିଘୋଷ ନାମକ ରଥାକୃତି ନୌକାରେ ବିଜେ କରାଇଥିଲେ। ଆନୁଷ୍ଠାନିକ ନୌକା ରଥ ପୂଜନ ଓ ପ୍ରତିଷ୍ଠା ସରିବା ପରେ ଠାକୁରଙ୍କୁ ହରିବୋଲ ହୁଳହୁଳି ଧ୍ବନି ମଧ୍ୟରେ ଘଣ୍ଟଘଣ୍ଟା ମର୍ଦ୍ଦଳ ବାଦନ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଭକ୍ତ ଶ୍ରଦ୍ଧାଳୁ ମାନଙ୍କର ଭିଡ ମଧ୍ୟରେ ବିଜେ କାହାଳୀ ସହିତ ନନ୍ଦିଘୋଷ ନୌକାକୁ ପହଣ୍ଡିରେ ବିଜେ ହୋଇଥିଲେ। ଏହାପରେ ବିଧିବିଧାନ ସହ ଠାକୁରଙ୍କୁ ପୂଜା ଅର୍ଚ୍ଚନା ଓ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଏହା ଉପରାନ୍ତ ପରମ୍ପରା ରକ୍ଷା ସହିତ ପୀଠର ପ୍ରଥମ ସେବକ ଭାବେ ବୟୋବୃଦ୍ଧ ଜଗନ୍ନାଥ ଭକ୍ତ ହାଡୁବନ୍ଧୁ ପଟ୍ଟନାୟକ ରଥ ଉପରେ ଛେରାପହଁରା କରି ଘୋଷଯାତ୍ରା ନିମନ୍ତେ ଠାକୁରଙ୍କ ନିକଟରେ ଆଜ୍ଞା ପାଇଁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଚିଲିକା ନୀଳଜଳରାଶିି ପରିବେଷ୍ଟିତ ପ୍ରାୟ ୨୨ ଏକର ପରିମିତ ଭୁଖଣ୍ଡ ‘ଐତିହ୍ୟ କ୍ଷେତ୍ର କାଙ୍କଣଶିଖରୀ ପୀଠକୁ ଚିଲିକା ଜଳରେ ନନ୍ଦିଘୋଷ ରଥ ନୌକାରେ ପ୍ରଭୁ ସପ୍ତବାର ପ୍ରଦକ୍ଷୀଣ କରି ସ୍ବସ୍ଥାନ ଶ୍ରୀଚକ୍ର ମନ୍ଦିର ବାହୁଡ଼ି ଆସି ରତ୍ନ ସିଂହାସନକୁ ବିଜେ ହୋଇଥିଲେ।

publive-image Sambad

ସୂଚନାଯୋଗ୍ୟ, ଗତ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସଲିମ ଶାସକ ତକି ଖାଁନର ଆକ୍ରମଣକୁ ଏଡାଇ ସେତେବେଳେ ପଣ୍ଡାପଢିଆରୀ ମାନେ ପୁରୀ ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଶ୍ରୀ ଜୀଉମାନଙ୍କୁ ଗୋପନରେ ଅଣାଇ ବ୍ରହ୍ମଗିରି ପଟରୁ ଦୋବନ୍ଧା ଘାଟରୁ ଚିଲିକା ମଧ୍ୟ ଦେଇ ନୌକା ଭେଳାରେ ଚିଲିକା ହ୍ରଦ ନୀଳଜଳ ପରିବେଷ୍ଟିତ ଘଞ୍ଚ ଅରଣ୍ୟ ଘେରା ଏହି କାଙ୍କଣଶିଖରୀ ଭୁଖଣ୍ଡରେ ରଖାଇ ଦୀର୍ଘକାଳ ପୂଜା ଅର୍ଚ୍ଚନା କରିଥିବା ମାଦଳା ପାଞ୍ଜି ବର୍ଣ୍ଣନା ରହିଛି। ଏଠାରୁ ନିକଟସ୍ଥ ଚିଲିକା ବ୍ଲକର ନଇରୀ ଗାଁର ଆରାଧ୍ୟ ଶ୍ରୀ ହରିହରେଶ୍ବର ମହାଦେବଙ୍କ ମନ୍ଦିରରେ ଗୋପନରେ ଦୀର୍ଘକାଳ ପୂଜା ପାଇଥିଲେ। ଏଠାରେ ସେତେବେଳେ ଶ୍ରୀ ଜିଉ ମାନେ ଉପବେଶନ କରୁଥିବା ତିନୋଟି ଚକା ପଥର ଏବେ ମଧ୍ୟ ମନ୍ଦିର ବେଢ଼ାରେ ରହି ସେହି ଦିନଠାରୁ ପୂଜା ପାଇ ଆସୁଛନ୍ତି। ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡ ସମାନ ଶ୍ରୀ ହରିହରେଶ୍ବରଙ୍କ ମନ୍ଦିର ସାମ୍ନା ପ୍ରଶସ୍ତ ଦାଣ୍ଡରେ ସେତେବେଳେ ପରମ୍ପରା ରକ୍ଷା ପାଇଁ ଶଗଡ଼ି ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଐତିହ୍ୟ ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। ଏହି ସ୍ମୃତିକୁ ସାଉଁଟି ଚିଲିକା ହ୍ରଦ ପରିବେଷ୍ଟିତ ନୀଳ ଜଳରାଶି ଉପରେ ଗତ ୯ ବର୍ଷ ହେଲା ନନ୍ଦିଘୋଷ ନାମକ ରଥାକୃତି ନୌକାରେ ଠାକୁରଙ୍କ ଘୋଷଯାତ୍ରା ଓ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇ ଆସୁୁଅଛି। ଏହି ଅବସରରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କର ଭିଡରେ ଚକାନୟନ ଭାବ ବିନୋଦିଆ ପ୍ରଭୁଙ୍କ ସାନ୍ନିଧ୍ୟ ପାଇ ଏହି ଐତିହ୍ୟ କ୍ଷେତ୍ର କାଙ୍କଣଶିଖରୀ ସପ୍ସଲଗ୍ନ ଚିଲିକା ଜଳରାଶି ବଡ଼ ଦାଣ୍ଡ ପାଲଟି ଯାଉଥିବା ବେଳେ ରଥାକୃତି ନନ୍ଦିଘୋଷ ନୌକା ସାକ୍ଷାତ ନନ୍ଦିଘୋଷ ରଥ ପାଲଟି ଯାଇଥାଏ।

publive-image Sambad

କାଙ୍କଣଶିଖରୀ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ଆବାହକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ରୀତାରାଣୀ ସାହୁ, ବାବାଜୀ ପଦ୍ମପାଦ ଦାସ, କାଙ୍କଣ ଶିଖରୀ ପୀଠର ସପ୍ସପାଦକ ପ୍ରଦୋଷ କୁମାର ଦାସ, ବରିଷ୍ଠ ସଭ୍ୟ ଲଳିତ ମୋହନ ପଟ୍ଟନାୟକ, ସମସ୍ତ କର୍ମକର୍ତ୍ତା, ସହଯୋଗୀଙ୍କ ସହ ନଇରୀ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ। ଏଥିରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା, ସେକେଣ୍ଡ ଅଫିସର କେଶବ ଚନ୍ଦ୍ର ବେହେରା, ସିଡିଏର ବିଭିନ୍ନ ପଦାଧିକାରୀଙ୍କ ସହିତ ଗଙ୍ଗାଧରପୁର ଅଗ୍ନୀଶମ ବିଭାଗ, ସ୍ବାସ୍ଥ୍ୟ ସେବା ବିଭାଗ, ଓଡ୍ରାଫ ଟିମ୍ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଆବଶ୍ୟକ ସେବା ଯୋଗାଇ ଦେଇଥିଲେ। ଆୟୋଜକ କାଙ୍କଣଶିଖରୀ ପୀଠ ପକ୍ଷରୁ ନଇରୀର ଗଙ୍ଗା ଯମୁନା ସ୍ଥିତ ଚିଲିକା କୂଳରୁ ଅନ୍ୟ ପଟେ ଚିଲିକାର ‘କାଙ୍କଣଶିଖରୀ’ ପୀଠକୁ ନିଶୁଳ୍କ ନୌକା ଯାତାୟତ ବ୍ୟବସ୍ଥା ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଚିଲିକା ଜଳରେ ଠାକୁରଙ୍କ ବାହୁଡ଼ା ଯାତ୍ରା ସହିତ କାଙ୍କଣଶିଖରୀ ଦର୍ଶନ ପାଇଁ ବହୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe