ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଜିଲ୍ଲା ସଂପାଦକ ଅଶୋକଙ୍କ ଇସ୍ତଫା

୨୭ରେ ବିଜେଡିର ରାଜଭବନ ସମ୍ମୁଖରେ ଗଣଧାରଣା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବ୍ଲକ ହେଉଛି ଗୁଡ଼ଭେଲା। ଏହି ବ୍ଲକର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଅଶୋକ ଦୋରା ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଅଶୋକଙ୍କ ଇସ୍ତଫା ଆଲୋଚନାରେ ରହିଛି। ଶାସକ ଦଳର ସାଂସଦ ତଥା ଜିଲ୍ଲା ସଭାପତିଙ୍କ ସହ ଦଳୀୟ ବିଧାୟକଙ୍କ ମଧ୍ୟରେ ତାଳମେଳ ନଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଅଶୋକଙ୍କ ଇସ୍ତଫା ପ୍ରସଙ୍ଗ ଏହି ନିଆଁକୁ ଘିଅ ଦେଇଛି।

ଗୁଡ଼ଭେଲା, ସଇଁତଳା ଓ ଟିଟିଲାଗଡ଼କୁ ନେଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ। ବର୍ତ୍ତମାନ ଶାସକ ଦଳର ଟୁକୁନି ସାହୁ ହେଉଛନ୍ତି ବିଧାୟିକା। ସେହିପରି ୧୯୯୭ ମସିହାରୁ ବିଜେଡିରେ ଅଛନ୍ତି ଅଶୋକ ଦୋରା। ୨୦୦୨ରୁ ୨୦୦୭ ଯାଏ ସେ ଥିଲେ ଗୁଡ଼ଭେଲା ବ୍ଲକ ଅଧ୍ୟକ୍ଷ। ୨୦୦୭ରୁ ୨୦୧୦ ଯାଏ ଉପାଧ୍ୟକ୍ଷ ଓ ୨୦୧୦ରୁ ୧୨ ଯାଏ ପୁଣି ବ୍ଲକ ଅଧ୍ୟକ୍ଷ ଥିଲେ ଅଶୋକ। ୨୦୧୨ରେ ସେ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିବା ବେଳେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ବି ହୋଇଥିଲେ। ୨୦୧୭ରେ ସେ ପୁଣି ଗୁଡ଼ଭେଲା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦେଶକ ବି ରହିଛନ୍ତି। ତେବେ ଗୁଡ଼ଭେଲାରେ ଅଶୋକଙ୍କ ପ୍ରଭାବ ଓ ବିଧାୟିକା ଟୁକୁନି ସାହୁଙ୍କ ମଧ୍ୟରେ ତାଳମେଳ ନଥିବା ଦଳୀୟ ନେତାଏ ଭଲ ଭାବେ ଜାଣନ୍ତି। ଅନ୍ୟପଟେ ଅଶୋକ ହେଉଛନ୍ତି ଜିଲ୍ଲା ସଭାପତି ତଥା ସାଂସଦ କଳିକେଶଙ୍କ ଘନିଷ୍ଠ ଅନୁଗତ।

ଇସ୍ତଫା ପତ୍ରରେ ଉଲ୍ଲେଖ ରହିଛି ଯେ, ବିଧାୟିକା ଶ୍ରୀମତୀ ସାହୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୋରାଙ୍କ କାମରେ ଅଯଥାରେ ହସ୍ତକ୍ଷେପ କରୁଛନ୍ତି। ତଥ୍ୟ ଅନୁସାରେ, ସାଂସଦ କଳିକେଶଙ୍କ ଜରିଆରେ ଗୁଡ଼ଭେଲା ବ୍ଲକରେ ଥିବା ବିଡିଓ ବିଜ୍ଞାନ କୁମ୍ଭାରଙ୍କୁ ବଦଳି କରାଇବାକୁ ଚେଷ୍ଟା କରିଥିଲେ ଅଶୋକ। ସଫଳ ବି ହୋଇଥିଲେ। ଗତ ଜୁଲାଇ ମାସରେ ପଞ୍ଚାୟତିରାଜ ବିଭାଗ ବିଡିଓଙ୍କ ବଦଳି କରାଇଥିଲା। ହେଲେ ଅଗଷ୍ଟ ମାସରେ ବିଡିଓ ଶ୍ରୀ କୁମ୍ଭାରଙ୍କ ବଦଳି ବାତିଲ ହୋଇଥିଲା। ଏହି ବଦଳି ବାତିଲ ପଛରେ ବିଧାୟିକା ଶ୍ରୀମତୀ ସାହୁଙ୍କ ହାତ ରହିଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୋରା ଅଭିଯୋଗ କରିଛନ୍ତି। ଅଯଥାରେ ବିିଭିନ୍ନ କଥାରେ ହସ୍ତକ୍ଷେପ କରୁଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୋରା କହିଛନ୍ତି। ତେଣୁ ସେ ଦଳରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଛନ୍ତି।

ଗୁଡ଼ଭେଲା ବିଡିଓ ବିଜ୍ଞାନ କୁମ୍ଭାରଙ୍କୁ ନେଇ ବିଧାୟିକା ଶ୍ରୀମତୀ ସାହୁ ଓ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଦୋରାଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ସାଂସଦ କଳିକେଶଙ୍କ ଭୂମିକା ବି ବିବାଦୀୟ ରହିଛି। ସୂଚନା ଅନୁସାରେ, କଳିକେଶଙ୍କ ଘନିଷ୍ଠ ଶ୍ରୀ ଦୋରା ଯେଉଁ ଭଳି ଢଙ୍ଗରେ କାମ କରିବାକୁ ଚାହୁଁଛନ୍ତି ତାହା ବିଧାୟିକାଙ୍କ ପାଇଁ ବରଦାସ୍ତ ବାହାରେ। ନିର୍ବାଚନମଣ୍ଡଳୀ ଅନୁସାରେ ବିଧାୟିକା ଶ୍ରୀମତୀ ସାହୁଙ୍କ ଗୁରୁତ୍ୱ ରହିଥିବା ବେଳେ ସାଂସଦ ନିଜ ଲୋକଙ୍କୁ ପରୋକ୍ଷରେ ବ୍ୟବହାର କରି ବିଭିନ୍ନ କାମ ଭଣ୍ଡୁର କରାଉଥିବା ଭଳି ସଙ୍ଗିନ ଅଭିଯୋଗ ବି ଉପର ମହଲରେ ରହିଛି। ଏଭଳି ମୁହୂର୍ତ୍ତରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୋରାଙ୍କ ଇସ୍ତଫା ଦଳ ପାଇଁ ପାଲଟିଛି ଅଡୁଆ ସୂତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe