ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତେଲସରାଇ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ। ପରକୀୟା ପ୍ରୀତି ସନ୍ଦେହରେ ଶାଶୂ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ବାମୀ ଗିରଫ ହୋଇଛନ୍ତି। ଘଟଣାନୁଯାୟୀ, ତେଳସରାଇ ଗ୍ରାମର ନିଲୁ ଅଦା (୨୬) ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ସାଗରିକା ବାଗଙ୍କ ସହ ପ୍ରେମ ବିବାହ କରିଥିଲେ। ହେଲେ ପରେ ପରେ ସ୍ବାମୀ ନିଲୁ ନିଜ ସ୍ତ୍ରୀଙ୍କ ଉପରେ ପରକୀୟା ପ୍ରୀତି ସନ୍ଦେହ କରି ବିଭିନ୍ନ ସମୟରେ ମଦ ପିଇ ଘରକୁ ଆସି ମାରପିଟ୍ କରୁଥିବା ଅଭିଯୋଗ ହୋଇଥିବାବେଳେ ସ୍ତ୍ରୀ ସାଗରିକା ମଧ୍ୟ ସ୍ବାମୀଙ୍କର ଏପରି କାର୍ଯ୍ୟ ଯୋଗୁଁ ନିଜ ସ୍ବାମୀଙ୍କ ଉପରେ ପରକୀୟା ପ୍ରୀତି ସନ୍ଦେହ କରୁଥିଲେ। ପରେ ଘଟଣା ସିନ୍ଧେକେଲା ଥାନାରେ ପହଞ୍ଚିଥିଲା। ସିନ୍ଧେକେଲା ପୁଲିସ ବୁଝାସୁଝା କରି ଶେଷରେ ଏକ ମାମଲା ରୁଜୁ କରି ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ନୋଟିସ ଦେଇ ଛାଡ଼ି ଦେଇଥିଲା।
ତେବେ ସ୍ତ୍ରୀ ତା ବାପଘର ସିନ୍ଧେକେଲା ନୂଆ ବଜାର ନିକଟ ଘରେ ଥିବାବେଳେ ସ୍ବାମୀ ତାଙ୍କ ନିଜ ଗାଁ ତେଳସରାଇରେ ଥିଲେ। ହେଲେ ବୁଧବାର ସକାଳୁ ସକାଳୁ ଶାଶୂଘରକୁ ଆସି ନିଜ ସ୍ତ୍ରୀ ଓ ଶାଶୂଙ୍କୁ ମାରଣାସ୍ତ୍ର ଯୋଗେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଶାଶୂ ଓ ସ୍ତ୍ରୀ ସିନ୍ଧେକେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଭବାନୀପାଟଣାରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ସିନ୍ଧେକେଲା ପୁଲିସ ଥାନା କେସ ନମ୍ବର ୧୪୪/୨୪ ରୁଜୁ କରି ସ୍ବାମୀ ନିଲୁ ଅଦାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସିନ୍ଧେକେଲା ଆଇଆଇସି ବସନ୍ତ ଦଲାଇଙ୍କ ଠାରୁ ସୁଚନା ମିଳିଛି।
Follow Us