ବଲାଙ୍ଗୀର: ବିଶାଖାପାଟଣାର ଏକ ଡାକ୍ତରଖାନାରେ ବନ୍ଧାପଡ଼ିଥିବା ଜଣେ ମହିଳା ଶ୍ରମିକଙ୍କ ଶବ ଶେଷରେ ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନଗୁଡ଼ିକର ହସ୍ତକ୍ଷେପ ପରେ ଛଡ଼ାଯାଇଛି। ଶନିବାର ମୁରିବାହାଲ ବ୍ଲକ୍ ବାରବନ୍ଧ ଗାଁରେ ଶବ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ କରାଯାଇଛି।
ଘଟଣା ଥିଲା ଠିକ୍ ଏମିତି- କରୋନାର ପ୍ରଥମ ଲହର। ସବୁକିଛି ବନ୍ଦ ହୋଇଯାଇଥିଲା। ସରକାରୀ ସହାୟତା ଯାହା କିଛି ମିଳିଥିଲା ଓ ଧାରକରଜ କରି ପରିବାର ଚଳିଯାଇଥିଲା। ଲକ୍ଡାଉନ୍ ପରେ ଧୀରେ ଧୀରେ ସବୁ କିଛି ଖୋଲିବା ଆରମ୍ଭ ହୋଇଥିଲା। ସେହି ସମୟରେ ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶର ଇଟାଭାଟି ମାଲିକମାନେ ଏଠାକାର ସର୍ଦ୍ଦାରଙ୍କୁ ହାତ କରି ଶ୍ରମିକଙ୍କୁ ନେବା ଆରମ୍ଭ କରିଥିଲେ। ଧାରକରଜ ଟଙ୍କା ପରିଶୋଧ ସହ ପରିବାର ଚଳାଇବାକୁ ବାରବନ୍ଧ ଗାଁର ରୋହିତ ବାଗଙ୍କ ମୁଣ୍ଡରେ ଚିନ୍ତା ବଢ଼ିଥିଲା। ଶେଷରେ ରୋହିତ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ ଚୁମକୀ ବାଗ ନିଷ୍ପତ୍ତି ନେଲେ ଦାଦନ ଯିବାକୁ। ପ୍ରସବ ସମୟରେ ଫେରି ଆସିବେ ବୋଲି ଭାବିଥିଲେ। ରୋହିତ, ତାଙ୍କ ସ୍ତ୍ରୀ ଚୁମକୀ, ଦୁଇ ଛୋଟ ଝିଅ ଓ ମା’ ସହ ହାଇଦ୍ରାବାଦ ଯାଇଥିଲେ। ଗାଁରେ ଘର ଜଗିଥିଲେ ରୋହିତଙ୍କ ବାପା। ପ୍ରସବ ସମୟ ନିକଟ ହୋଇଆସିଥିଲା। ଏପଟେ କରୋନାର ଦ୍ୱିତୀୟ ଲହର ଆରମ୍ଭ। ଏଣୁ ସମସ୍ତେ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଫେରିବା ସମୟରେ ବିଶାଖାପାଟଣାରେ ଚୁମକୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ବିଶାଖାପାଟଣାର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଚୁମକୀଙ୍କ ମୃତ୍ୟୁ ଘଟିଥିଲା। ନର୍ସିଂହୋମରେ ଟଙ୍କା ଦେଇ ନପାରିବାରୁ ସେଠାରେ ଶବ ବନ୍ଧା ପଡ଼ିଥିଲା। କଣ କରିବେ, କଣ ନାହିଁ କିଛି ବୁଝିପାରିନଥିଲେ ରୋହିତ। କାନ୍ଦିକାନ୍ଦି ଦୁଇଛୁଆ ଓ ରୋହିତ ସମସ୍ତଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ।
ମୁରିବାହାଲ ବ୍ଲକ୍ର ଜଣେ ସାମାଜିକ କର୍ମୀ ସୁଷମା ବଏ ଏହି ଖବର ପାଇବା ପରେ ବଲାଙ୍ଗୀରର ସାମାଜିକ କର୍ମୀ ତ୍ରିଲୋଚନ ନନ୍ଦଙ୍କୁ ଜଣାଇଥିଲେ। ତ୍ରିଲୋଚନ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଶ୍ରମ ବିଭାଗକୁ ଅବଗତ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ଅଧିକାରୀ ଘଟଣା ଶୁଣିବା ଦୂରର କଥା ଫୋନ୍ ବି ଉଠାଇନଥିଲେ। ଏହାପରେ ସେ ସାମାଜିକ କର୍ମୀ ଯୁଗଲାଲ ନନ୍ଦ, ଭାରତୀୟ ରାଷ୍ଟ୍ରୀୟ ଦଳିତ ସଭାର ସଭାପତି ମିଳନ ଦାସଙ୍କୁ ଅବଗତ କରାଇଥିଲେ। ମିଳନ ଦାସ ଜାଣିବା ପରେ ସାମାଜିକ କର୍ମୀ ଷ୍ଟାଲିନଙ୍କ ସହ ଯୋଗାଯୋଗ କରିଥିଲେ। ଷ୍ଟାଲିନ୍ ଆମ୍ବୁଲାନ୍ସ ଭଡ଼ା ବାବଦକୁ ୨୪ହଜାର ଏବଂ ବାଟଖର୍ଚ୍ଚ ବାବଦକୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଫଳରେ ଚୁମକୀଙ୍କ ଶବ ଗାଁକୁ ଆସିପାରିଥିଲା। ଶନିବାର ସକାଳୁ ଗାଁରେ ଶବ ପହଞ୍ଚିଲା ପରେ ଦାହସତ୍କାର ପରିବାର ଓ ଗ୍ରାମବାସୀ କରିଥିଲେ। ଏପଟେ ଏହି ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସାମାଜିକ କର୍ମୀ। ବିନା ପଂଜୀକରଣରେ ଦାଦନ ଶ୍ରମିକ ଯାଉଛନ୍ତି। କୌଣସି ତଥ୍ୟ ଶ୍ରମ ବିଭାଗ ରଖୁ ନାହିଁ। ଏଣୁ ତାଙ୍କୁ ନିଲମ୍ବନ କରାଯାଉ ବୋଲି ଦାବି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us