ଖପ୍ରାଖୋଲ : ବଇନା ନେଇ ଠିକ୍ ସମୟରେ ଦାଦନ ଖଟିବାକୁ ଯାଇ ନପାରିବାରୁ ଜଣେ ଭିନ୍ନକ୍ଷମ ଶ୍ରମିକ ନରସିଂହ ମାଝୀ ସର୍ଦ୍ଦାର ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ନରସିଂହଙ୍କ ଘର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗାଁର ଦାଦନ ସର୍ଦ୍ଦାର ତାଙ୍କୁ ରାଜ୍ୟ ବାହାର ଇଟାଭାଟିକୁ ଦାଦନ ଖଟି ଯିବା ପାଇଁ ୩୦୦୦ ଟଙ୍କା ବଇନା ଦେଇଥିଲେ। ସୋମବାର ଦାଦନ ସର୍ଦ୍ଦାର ତାଙ୍କୁ ବାହାର ରାଜ୍ୟ ଯିବା ପାଇଁ କହିବାରୁ ସେ କିଛି ଦିନ ପରେ ଯିବେ ବୋଲି କହିଥିଲେ। ଏଥିରେ ରାଗିଯାଇ ସର୍ଦ୍ଦାର ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଲାଠୋର ଥାନା ଏସ୍ଆଇଙ୍କୁ ପଚାରିବାରୁ ଏମିତି ଏକ ଖବର ଆସିଛି; ହେଲେ ଏଫଆଇଆର୍ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।
Follow Us