ପ୍ରାଣ ହରାଇଲେ କୁଷ୍ଠ ରୋଗୀ: ଶବ ଛୁଇଁଲେନି ପରିବାର

ପ୍ରାଣ ହରାଇଲେ କୁଷ୍ଠ ରୋଗୀ: ଶବ ଛୁଇଁଲେନି ପରିବାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଟିକପାଲିର ମୂଳ ନିବାସୀ ସୁରମଣି ତୁମୁନିଆ(୮୧) ବହୁ ବର୍ଷ ତଳେ କୁଷ୍ଠ ରୋଗରେ ପୀଡ଼ିତ ହୋଇ ସମାଜରୁ ବାସନ୍ଦ ହୋଇଥିଲେ। ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ। ତାଙ୍କ ମ୍ରୁତ୍ୟୁ ହେବା ପରେ ପରିବାରବର୍ଗ ଶବକୁ ଛୁଇଁ ନ ଥିବା ବେଳେ ପ୍ରଶାସନ, ପୁଲିସ ଓ ସ୍ବେଚ୍ଛାସେବୀ ମିଶି ଦାହ ସଂସ୍କାର କରିଥିବା ଜଣାପଡ଼ିଛି।
ସୁରୁମଣିଙ୍କୁ ବହୁ ବର୍ଷ ପୂର୍ବେ କୁଷ୍ଠ ରୋଗ ହୋଇଥିଲା। ଏଥିପାଇଁଁ ସେ ଔଷଧ ମଧ୍ଯ ଖାଇଥିଲେ। ଏହାପରେ ବି ତାଙ୍କୁ ପରିବାରବର୍ଗ ଘରକୁ ପ୍ରବେଶ କରାଇ ଦେଇ ନ ଥିଲେ। ଏପରିକି ଜାତି ସମାଜରୁ ବାସନ୍ଦ ମଧ୍ୟ କରିଥିଲେ। ଫଳରେ ସେ ପାଟଣାଗଡ଼ ସାପ୍ତାହିକ ବଜାର ନିକଟରେ କୁଡ଼ିଆ କରି ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିଲେ। ମଙ୍ଗଳବାର ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହା ଜାଣିବା ପରେ କିଛି ସ୍ବେଚ୍ଛାସେବୀ ସୁରୁମଣିଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ ଓ ହସପିଟାଲକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ବୁଧବାର ସକାଳୁ ଏ ନେଇ ପାଟଣାଗଡ଼ ତହସିଲଦାରଙ୍କୁ କିଛି ସ୍ବେଚ୍ଛାସେବୀ ଖବର ଦେଇଥିଲେ। ପରେ ତହସିଲଦାର ସାପ୍ତାହିକ ବଜାର ନିକଟରେ ପହଞ୍ଚି ସୁରୁମଣିଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନେ ସୁରୁମଣିଙ୍କୁ ଜାତି ସମାଜରୁ ବାସନ୍ଦ କରିଥିବା କହି କେହି ଆସି ନ ଥିଲେ। ଫଳରେ ପ୍ରଶାସନ ପକ୍ଷରୁ ତହସିଲଦାର, ପୁଲିସ, ଏନଏସି କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ମିଶି ଦାହ ସଂସ୍କାର କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe