ଦେଓଗାଁ: ଓଲିଉଡକୁ ନେଇ ଲାଗିଥିବା ବିବାଦ ଥମିବାର ନାଁ ନେଉନି। ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ପଶ୍ଚିମ ଓଡ଼ିଶାରେ ୧୦ଟି ଜିଲ୍ଲାରେ ଆକ୍ରୋଶ ଦେଖିବାକୁ ମିଳିଥିଲା ଓ ମନୋଜ୍ ମିଶ୍ରଙ୍କ ବହିଷ୍କାରକୁ ତୁରନ୍ତ ହଟାଇବାକୁ ଚେତାବନୀ ଦିଆଯାଇଥିଲା। ପରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ୧୮ତାରିଖ କୋଶଳ ବନ୍ଦ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଆଜି ପଶ୍ଚିମ ଓଡ଼ିଶାରେ ଦଶଟି ଜିଲ୍ଲାରେ ଅଖଚକ ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ଜିଲ୍ଲାର ସଇଁତଳା, ତୁଷୁରା ଓ ଦେଓଗାଁ ଆଦି ଅଞ୍ଚଳ ରେ ବନ୍ଦର ବେଶୀ ପ୍ରଭାବ ଦେଖିବାକୁ ମିଳିଛି। ଦେଓଗାଁ ଜାତୀୟ ରାଜପଥ ୨୬ ନିକଟରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓ କୋଶଳ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ବଚସା ମଧ୍ୟ ଦେଖିବାକୁ ମିଳିଥିଲା। କୋଶଳ ଆନ୍ଦୋଳନକୁ ଦେଓଗାଁରେ ଭଣ୍ଡୁର କରିବା ପାଇଁ ପୁଲିସ ଚେଷ୍ଟା କରୁଥିଲା ଯାହାକୁ ନେଇ ଅସନ୍ତୋଷ ବଢିଥିଲା। ଟାୟାର ଜାଳି ଜାତୀୟ ରାଜପଥ ୨୬କୁ ରାସ୍ତାରୋକ କରୁଥିବା ବେଳେ ପୁଲିସ ଆନ୍ଦୋଳନକାରୀଙ୍କ ସହ ଯୁକ୍ତି କରି ରାସ୍ତାରୋକକୁ ଖାଲି କରିଥିଲା। ପୁଲିସର ଏହି କାର୍ଯ୍ୟକଳାପକୁ ଦେଖି ଆନ୍ଦୋଳନକାରୀ ଯୁବକମାନେ ପୁଲିସ ଗାଡ଼ି ଆଗରେ ବସି ନାରାବାଜି କରିଥିଲେ। ବୁଝାସୁଝା କରିବା ପରେ ରାସ୍ତାରୋକକୁ ଖାଲି କରିଥିଲା ଦେଓଗାଁ ପୁଲିସ। ଏହି କୋଶଳ ବନ୍ଦ ଆନ୍ଦୋଳନର ପ୍ରଭାବ ଦେଓଗାଁ ବ୍ଳକର ବନ୍ଧପଡା, ଅର୍ଜୁନପୁର, ଉପରଝର ଅଞ୍ଚଳରେ ଦେଖିବାକୁ ମିଳିଛି।
Follow Us