୧୫ ବଦଳରେ ୧୮ରେ କୋଶଲ ମହାବନ୍ଦ

ବନ୍ଦ ଯୋଗୁଁ ପଶ୍ଚିମ ଓଡ଼ିଶା ଠପ୍

ବରଗଡ଼: ଆସନ୍ତା ୧୫ ତାରିଖ ବଦଳରେ ୧୮ ତାରିଖ ଦିନ କୋଶଲ ମହାବନ୍ଦ ହେବ। ୧୫ ତାରିଖ କନିଷ୍ଠ ଶିକ୍ଷକ ପରୀକ୍ଷା ଏବଂ ବିର୍ସା ମୁଣ୍ଡା ଜୟନ୍ତୀ ଥିବାରୁ ୧୮ ତାରିଖ ମହାବନ୍ଦ ଡାକରା ଦିଆଯାଇଛି ବୋଲି ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଭବନଠାରେ କୋଶଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଦିନ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ମଧ୍ୟ ବନ୍ଦ ରହିବ। କେବଳ ଜରୁରୀ ସେବାକୁ ବନ୍ଦ ଡାକରାରୁ ବାଦ୍‌ ଦିଆଯିବ। ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସକାଶେ ଆନ୍ଦୋଳନକୁ ବ୍ୟାପକ କରିବାକୁ ବନ୍ଦ ଡାକରା ଦିଆଯାଇଛି ବୋଲି କମିଟି ସ୍ପଷ୍ଟ କରିଛି।

କମିଟି କହିଛି, ପଶ୍ଚିମ ଓଡ଼ିଶାରେ ଚାଷ ଓ ଚାଷୀ, କର୍ମସଂସ୍ଥାନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ଗୁରୁତର ସମସ୍ୟା ଥିବା ବେଳେ ସରକାର ଏ ଅଞ୍ଚଳର ବିକାଶ କଥା ଭୁଲି ଯାଇଛନ୍ତି। ଏହି ଅଞ୍ଚଳ ପ୍ରତି ସରକାରଙ୍କ ଉଦାସୀନତା, ଆଞ୍ଚଳିକ ଭେଦଭାବ ବାରି ହେଉଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ, ଏମ୍‌ସ ପ୍ରତିଷ୍ଠା ଦାବି ଅଣଦେଖା ହୋଇରହିଛି। ବରଂ ଗୋଟିଏ ପରେ ଗୋଟିଏ ଶିଳ୍ପାନୁଷ୍ଠାନକୁ ବନ୍ଦ କରାଯାଉଛି। ବର୍ତ୍ତମାନ ଓଡ଼ିଆ ସିନେମାରୁ ପଶ୍ଚିମ ଓଡ଼ିଶାର ପ୍ରତି‌ଷ୍ଠିତ କଳାକାର ମନୋଜ ମିଶ୍ରଙ୍କୁ ବ୍ୟାନ୍‌ କରିବା ବୈଷମ୍ୟତାବାଦର ଅନ୍ୟତମ ଉଦାହରଣ। ନୂଆଁଖାଇ ସରକାରୀ ଛୁଟି ତାଲିକାରେ ସାମିଲ ନ ହେବା ପଶ୍ଚିମ ଓଡ଼ିଶା ପ୍ରତି ଅପମ‌ାନ ବୋଲି କମିଟି କହିଛି। ତେଣୁ ସ୍ବତନ୍ତ୍ର ରାଜ୍ୟ ନ ହେବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକିୟାରେ ଏବଂ ବିଭିନ୍ନ ସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୁରେନ୍ଦ୍ର ପଣ୍ଡା, ବୀରବଲ ମହାକୁର, ଅଚ୍ୟୁତ ସିପୁନ ଖମାରୀ, ସାକେତ ଶ୍ରୀଭୂଷଣ ସାହୁ, ଅଶୋକ ଛତର, ଅବନୀକାନ୍ତ ପଣ୍ଡା, ନରେଶ ଦୀପ, ନନ୍ଦନ ମହାନନ୍ଦ, ଗଣେଶ ମଟାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe