ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ରେ ପୁଣି ଏକ ଦାଦନ ପରିବାରର କରୁଣ କାହାଣୀ ସମ୍ନାକୁ ଆସିଛି। ଏହି ବ୍ଲକ୍ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତ ଖଲଖଲି ଗାଁରୁ କଟକକୁ ଦାଦନ ଖଟିବାକୁ ଯାଇଥିବା କ୍ଷୀରମୋହନ ମାଝୀ ସୋମବାର ଶବ ହୋଇ ଗାଁକୁ ଫେରିଛନ୍ତି।
ସୂଚନା ଅନୁସାରେ, ଖଲଖଲି ଗାଁର କ୍ଷୀରମୋହନ ଗତ ମଙ୍ଗଳବାର କଟକ ଅଞ୍ଚଳକୁ ଇଟା ଗଢ଼ିବା ପାଇଁ ଯାଇଥିଲେ। ଏଥିପାଇଁ ସେ ଡେବ୍ରିପାଲିର ଦାଦନ ଦଲାଲ ମଧୁ ନାୟକଙ୍କଠାରୁ ୩୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ଏ ସଂପର୍କରେ ମୃତ କ୍ଷୀରମୋହନଙ୍କ ମା’ ପୂର୍ଣ୍ଣିମା ମାଝୀଙ୍କ କହିବା ଅନୁସାରେ, ସେଠାରେ ଦାଦନ ସର୍ଦ୍ଦାରଙ୍କ ଅକଥନୀୟ ଅତ୍ୟାଚାର ଯୋଗୁଁ ତାଙ୍କ ପୁଅର ଦେହ ଖରାପ ହେଲା। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ରେ ଭର୍ତ୍ତି କରାଗଲା। କିନ୍ତୁ, ରବିବାର କ୍ଷୀରମୋହନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
କ୍ଷୀରମୋହନ ଘରର ରୋଜଗାରିଆ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପଟେ ଦାଦନ ସର୍ଦ୍ଦାର ପରିବାର ଲୋକଙ୍କୁ ୮୦ ହଜାର ଟଙ୍କା ଦେଇ ମୁଁହ ବନ୍ଦ କରିବାର ପ୍ରୟାସ କରିଥିବା ମଧ୍ୟ ସୂଚନା ମିଳିଛି। ଘଟଣା ପରେ ସର୍ଦ୍ଦାର ମଧୁ ନାୟକ ଫେରାର ମାରିଛି। ଏଭଳି ପରିସ୍ଥିତିରେ ପୂର୍ଣ୍ଣିମା ଓ ତାଙ୍କ ଦୁଇ ଝିଅଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us