ରେଙ୍ଗାଲି ଗାଁରେ କଲରାପତରିଆ ଆତଙ୍କ, ଦୋକାନରେ ପଶି ମାରିଲା ଶତାଧିକ କୁକୁଡ଼ା

Advertisment
ରେଙ୍ଗାଲି ଗାଁରେ କଲରାପତରିଆ ଆତଙ୍କ, ଦୋକାନରେ ପଶି ମାରିଲା ଶତାଧିକ କୁକୁଡ଼ା

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ରେଙ୍ଗାଲି ପଂଚାୟତର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଶନିବାର ରାତିରେ ବାଘଟି ଗାଁମୁଣ୍ତରେ ଥିବା ଏକ କୁକୁଡ଼ା ଦୋକାନକୁ ପଶି ଶତାଧିକ କୁକୁଡ଼ାଙ୍କୁ ମାରି ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ରେଙ୍ଗାଲି ଗାଁ ମୁଣ୍ଡରେ ପ୍ରଫୁଲ୍ଲ ମେହେର କୁକୁଡ଼ା ଦୋକାନ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ସେଠାକୁ ଉକ୍ତ କଲରାପତରିଆ ବାଘ ପଶି କୁକୁଡ଼ାମାନଙ୍କୁ ଖାଇବା ସହ ମାରି ପକାଇଥିଲା। କୁକୁଡ଼ାଙ୍କ ରଡ଼ି ଶୁଣି ପ୍ରଫୁଲ୍ଲଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଫଳରେ କଲରାପତରିଆ ବାଘଟି ସେଠାରୁ କୁଦାମାରି ଫେରାର ହୋଇଯାଇଥିଲା ବୋଲି ସେମାନେ କହିଛନ୍ତି। ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବ୍ଲକ୍‌ର ଲାଠୋର, ବେନ୍ଦେର ପଟେ କିଛିଦିନ ତଳେ ୩୦ଟି ହାତୀ ଆସି ଚାଷୀଙ୍କ ଫସଲ ନଷ୍ଟ କରିଥିଲେ। ଏବେ ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ରେଙ୍ଗାଲି ପଟେ କଲରାପତରିଆ ବାଘ ଆତଙ୍କ ଲୋକଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ହରିଶଙ୍କର ରେଂଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ସେ କହିଥିଲେ, ରେଙ୍ଗାଲିରେ କଲରାପତରିଆ ବାଘ କୁକୁଡ଼ା ଖାଇଥିବା ଜାଣିବା ପରେ ବିଭାଗର କର୍ମଚାରୀମାନେ ଗାଁକୁ ଯାଇ ତଦନ୍ତ କରିଥିଲେ। ସେଠାରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଗନ୍ଧମାର୍ଦ୍ଦନ ଅଂଚଳରେ ଆଗରୁ ମଧ୍ୟ ବାଘ ଥିବା ଜଣାଯାଇଛି। କୌଣସି କାରଣରୁ ବାଘଟି ଗାଁମୁହାଁ ହୋଇଥାଇପା‌ରେ ବୋଲି ସେ କହିଥିଲେ। ସେହିପରି ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe