ଜବରଦଖଲକାରୀଙ୍କ କବ୍‌ଜାରେ ୩୭୦ ଏକର: ଭୂମିହୀନଙ୍କୁ ମିଳୁନି ପଟ୍ଟା, ଭୋଟ୍‌ ବର୍ଜନ ଚେତାବନୀ

Advertisment
ଜବରଦଖଲକାରୀଙ୍କ କବ୍‌ଜାରେ ୩୭୦ ଏକର: ଭୂମିହୀନଙ୍କୁ ମିଳୁନି ପଟ୍ଟା, ଭୋଟ୍‌ ବର୍ଜନ ଚେତାବନୀ

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧୀନରେ ଥିବା ଶତାଧିକ ଭୂମିହୀନଙ୍କୁ ବର୍ଷ ବର୍ଷ ଧରି ସ୍ଥାୟୀପଟ୍ଟା ମିଳୁନାହିଁ। ବାରମ୍ବାର ଗୁହାରି ପରେ ମଧ୍ୟ ତହସିଲ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜ୍ଜନ କରିବା ସହିତ ତହସିଲ ପ୍ରଶାସନ ଆଗରେ ଧାରଣାରେ ବସିବାକୁ ଶତାଧିକ ଭୂମିହୀନ ଚେତାବନୀ ଦେଇଛନ୍ତି। ଖଇରା ତହସିଲ ଅଧୀନରେ ଥିବା ୩୭ଟି ପଞ୍ଚାୟତ ମଧ୍ୟରୁ ବାଉଁଶଗଡ଼ିଆ, କଇଥଗଡ଼ିଆ, ରଟିଣା ଓ ହରିପୁର ପଞ୍ଚାୟତର ଶତାଧିକ ବ୍ୟକ୍ତି ପଟ୍ଟା ପାଇଁ ଆବେଦନକରି ଅପେକ୍ଷାରେ ରହିଛନ୍ତି। ପଟ୍ଟା ନଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଖଇରା ତହସିଲର ୩୭୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଓ ଗୋଚର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ହେଲେ ୫୨୫ ଜଣ ପଟ୍ଟା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ବାଉଁଶଗଡ଼ିଆ ପଞ୍ଚାୟତରେ ୧୫୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବାବେଳେ ତାଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ବଙ୍କର ପଟ୍ଟା ନାହିଁ। ହେଲେ ଭୋଟର ପରିଚୟ ପତ୍ର ଥିବାରୁ କେବଳ ନିର୍ବାଚନ ପୂର୍ବରୁ ସେମାନେ ମନେପଡ଼ନ୍ତି ବୋଲି କାଇରା ସିଂ, ଟୁନି ପାତ୍ର, ରାଉତ ସିଂ, ବେନଗୁର ସିଂ, ମିନି ସିଂ, ଗୌରି ସିଂ, ବିଜୟ ସିଂ ଓ ଲକ୍ଷ୍ମଣ ସିଂ ପ୍ରମୁଖ ପ୍ରକାଶ କରିଛନ୍ତି।

ଏନେଇ ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ଯୋଗାଯୋଗ କରିବାରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ପଟ୍ଟା ଦିଆଯାଇଛି ବୋଲି କହିଛନ୍ତି। ତେବେ କେତେକ ଆବେଦକାରୀ ପୂର୍ବରୁ ଅନ୍ୟ ସ୍ଥାନର ପଟ୍ଟାଦାର ଥାଇମଧ୍ୟ ଦୀର୍ଘବର୍ଷ ଧରି ଏହାରେ ରହି ପୁଣି ପଟ୍ଟା ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ସେସବୁର ତଦନ୍ତ କରି ଯୋଗ୍ୟଙ୍କୁ ହିଁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ମହାରଣା କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକ୍ରମେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ଶ୍ରୀ ମହାରଣା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe