ଭୂଆଁପଡ଼ାରେ ପାନୀୟ ଜଳ ସମସ୍ୟା:ପଞ୍ଚାୟତ ଅଫିସରେ ତାଲା ଠୁଙ୍କିଲେ

Advertisment
ଭୂଆଁପଡ଼ାରେ ପାନୀୟ ଜଳ ସମସ୍ୟା:ପଞ୍ଚାୟତ ଅଫିସରେ ତାଲା ଠୁଙ୍କିଲେ

ଗୁଡ଼ଭେଲା: ପାନୀୟ ଜଳ ସମସ୍ୟାରେ ଜର୍ଜରିତ ଗୁଡ଼ଭେଲା ବ୍ଲକ ଭୂଆଁପଡ଼ା ଗ୍ରାମବାସୀ ବୁଧବାର ପଞ୍ଚାୟତ ଅଫିସ ଘେରିବା ପାଇଁ ଜମା ହୋଇଥିଲେ। ଅଭିଯୋଗ କରିବା ପାଇଁ କାହାକୁ ନ ପାଇ ଶେଷରେ ତାଲା ପକାଇ ଦେଇଥିଲେ। ମାଢ଼େକେଲା ପଞ୍ଚାୟତ ଅନ୍ତର୍ଗତ ଭୂଆଁପଡ଼ାରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଆବଶ୍ୟତାଠାରୁ କମ୍‌ ସଂଖ୍ୟକ ନଳକୂଅ ଥିବା ଯୋଗୁଁ ଲୋକେ ପାଇପ ଜଳ ଉପରେ ନିର୍ଭର କରନ୍ତି। ଇନଟେକ େଓ୍ଵଲର ଜଳସ୍ତର କମିଯିବା ସହ ନିକଟସ୍ଥ ଗଭୀର ନଳକୂଅରେ ଅଳ୍ପ କ୍ଷମତା ସଂପନ୍ନ ପମ୍ପ ସଂଯୋଗ କରାଯାଇଛି। ଯ’ଦ୍ୱାରା ଦୈନିକ ମାତ୍ର ଅଧଘଣ୍ଟା ଜଳ ଯୋଗାଣ ହୋଇ ପାରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ବର୍ତ୍ତମାନ ନୂତନ ସମସ୍ୟା ଦେଖା ଦେଇଛି। ପମ୍ପ ହାଉସକୁ ସଂଯୋଗ ହୋଇଥିବା ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ଯୋଗୁଁ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ବୁଧବାର ପଞ୍ଚାୟତ ଅଫିସ ଘେରିଥିଲେ। ବହୁ ସମୟ ଅପେକ୍ଷା ପରେ ସୁଦ୍ଧା କୌଣସି ଅଧିକାରୀ ନ ଆସିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଅଫିସରେ ପଡ଼ିଥିବା ତାଲା ଉପରେ ଆଉ ଏକ ତାଲା ମାରି ଫେରି ଯାଇଥିବା ଜଣାଯାଇଛି। ଏ ବିଷୟରେ ଜିପିଇଓ ହିମାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରେ ‘ପିଇଓ କୋର୍ଟ ଡ୍ୟୁଟିରେ ଯାଇଥିଲେ। ବିଡିଓ ଟ୍ରେନିଂ ପାଇଁ ଭୁବନେଶ୍ୱରେ ଥିବା ବେଳେ ମୁଁ ଅନ୍ୟ ଜରୁରି କାମରେ ବ୍ୟସ୍ତ ଥିଲି। ଫଳରେ କେହି ଯାଇ ପାରି ନ ଥିଲୁ। ଟ୍ରାନ୍ସଫର୍ମର ପାଇଁ ସରପଞ୍ଚ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସମସ୍ୟାର ଆଶୁ ସମାଧାନ ପାଇଁ ଟ୍ୟାଙ୍କର ଯୋଗେ ଜଳଯୋଗାଣର ବ୍ୟାବସ୍ଥା କରିବୁ’ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe