ଶୁଣିଲାନି ପ୍ରଶାସନ: ଯୁବଗୋଷ୍ଠୀ କଲେ ରାସ୍ତା ମରାମତି

Advertisment
ଶୁଣିଲାନି ପ୍ରଶାସନ: ଯୁବଗୋଷ୍ଠୀ କଲେ ରାସ୍ତା ମରାମତି

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ମୁଖ୍ୟାଳୟରୁ ମାତ୍ର ୧ କିମି ଦୂରରେ ଥିବା ବନବାହାଲ ଗ୍ରାମକୁ ଯାଇଥିବା ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଗାଁର ଯୁବଗୋଷ୍ଠୀମାନେ ଏହି ରାସ୍ତା ମରାମତି କରିଛନ୍ତି।

ବନବାହାଲ ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ପ୍ରାୟ ୮୦୦ ଜନସଂଖ୍ୟା ବସବାସ କରନ୍ତି। ଏହି ଗାଁକୁ ସ୍ଥାୟୀ ରାସ୍ତା ନାହିଁ। ରେଳଧାରଣା କଡ଼ରେ ଥିବା ରାସ୍ତା ଦେଇ ସେମାନେ ଯିବାଆସିବା କରନ୍ତି। କେବଳ ଏହି ଗ୍ରାମବାସୀ ନୁହନ୍ତି ଅଞ୍ଚଳର ୧୨ ଖଣ୍ଡ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ​ତେବେ ରାସ୍ତାଟି ଅତି ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ କଣ୍ଟାବାଞ୍ଜି ବିଧାୟକ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ରେଳ ବିଭାଗର ଅଧିକାରୀ ତଥା ରେଳମନ୍ତ୍ରୀଙ୍କଠାରେ ଦାବି କରିଥିଲେ। ​କିନ୍ତୁ କେହି ଶୁଣିଲେ ନାହିଁ। ଫଳରେ ରବିବାର ଗାଁର ଯୁବଗୋଷ୍ଠୀ ଏହି ରାସ୍ତା ମରାମତି କରିଥିଲେ।

ଗୋପବନ୍ଧୁ ଭୋଇଙ୍କ ନେତୃତ୍ୱରେ ସୁଧୀର ବେହେରା, ଭାରତ ଦାସ, ମଧୁସୂଦନ ଧରୁଆ, ଖିରିଧର ଧରୁଆ, ସୁଶାନ୍ତ ଭୋଇ, ରାଜୀବ କୁଅର, ସନ୍ତୋଷ ମାଝୀ, ସୁବୋଧ ବେହେରା, ପ୍ରକାଶ ସେଠୀ, ଶ୍ରୀଧର ଧରୁଆ, ଗିରିଧାରୀ ମଲ୍ଲିକ, ପ୍ରହଲ୍ଲାଦ ବେହେରା, ହରିବନ୍ଧୁ ବାଗ ପ୍ରମୁଖ ସାମିଲ ଥିଲେ। ଏ ବାବଦରେ ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଷୀ କହନ୍ତି, ଏହି ରାସ୍ତା ପାଇଁ ଅନୁଦାନ ଦିଅଯାଇଛି କିନ୍ତୁ ରେଳ ବିଭାଗର ହସ୍ତକ୍ଷେପ ଫଳରେ ରାସ୍ତା କାମ ହୋଇପାରୁ ନାହିଁ। ବିଡିଓ ପୂର୍ଣ୍ଣାନନ୍ଦ ପୁଟେଲଙ୍କୁ ପଚାରିବାରୁ ସେ କହନ୍ତି, ଏହା ରେଳ ବିଭାଗର ଜମି ହୋଇଥିବାରୁ ଆମେ କିଛି କରି ପାରୁ ନାହୁଁ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରାସ୍ତାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe