ଡମନୀଚୁଆଁ ଗିରି ମାଝୀ ହତ୍ୟା ମାମଲା:ମୁଖ୍ୟ ଅଭିଯୁକ୍ତ ବାବା ସମେତ ୩ ଅଟକ

ପରକୀୟା ପ୍ରୀତି ହତ୍ୟାର କାରଣ

ଡମନୀଚୁଆଁ ଗିରି ମାଝୀ ହତ୍ୟା ମାମଲା:ମୁଖ୍ୟ ଅଭିଯୁକ୍ତ ବାବା ସମେତ ୩ ଅଟକ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଡମନୀଚୁଆଁ (ସାନଡୁଙ୍ଗୁରୀ) ଗାଁର ଗିରି ମାଝୀ(୨୫) ହତ୍ୟା ମାମଲାରେ ପୁଲିସ ଶୁକ୍ରବାର ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଟକମାନେ ହେଲେ ବେଲପଡ଼ା ଥାନା ଥୁଡ଼ିବାହାଲ ଗାଁର ଧନେଶ୍ୱର ମାଝୀ ଓରଫ ଲଡୁ ବାବା, ଭାଲୁଖାଇ ଗାଁର ବୈକୁଣ୍ଠ ମାଝୀ ଏବଂ ଖଗେଶ୍ୱର ମାଝୀ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଗିରିଙ୍କୁ ମୁଖ୍ୟ ଅଭିଯୁକ୍ତ ଲଡ଼ୁ ବାବା ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବେଲପଡ଼ା ବ୍ଲକ ଭରୁଆପାଲିକୁ ଗତ ନଭେମ୍ବର ୨୦ ତାରିଖ ଦିନ ଗିରି ଫୁଟବଲ ପ୍ରତିଯୋଗିତା ଦେଖିବାକୁ ଯାଇ ଆଉ ଫେରି ନଥିଲେ। କେହି ଜଣେ ବ୍ୟକ୍ତି ୨୧ତାରିଖ ସକାଳେ ଗିରି ଭରୁଆପାଲି ପତରଫଡ଼ିଠାରେ ବାଇକ ସହ ଅଚେତ ଅବସ୍ଥାରେ ପଡ଼ିଥିବା ଗାଁର ଜଣେ ବ୍ୟକ୍ତିଙ୍କୁ କହିଥିଲେ। ପରିବାର ଲୋକେ ପହଞ୍ଚିବା ବେଳକୁ ଗ୍ରାମବାସୀ ଗିରିଙ୍କୁ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାକୁ ଆଣି ସାରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଓ ସେଠାରୁ ବୁର୍ଲା ଡାକ୍ତରଖାନାକୁ ନିଆ ଯାଇଥିଲା।

ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦ ତାରିଖ ଦିନ ଗିରି ପ୍ରାଣ ହରାଇଥିଲେ। ଗିରିଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଗୋଲାପୀ ମାଝୀ ଗତ ୧ ତାରିଖ ଦିନ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା କେଶ ନଂ ୧୮୭/୧୭ ଆଇପିସି ଧାରା ୩୦୨/୩୪ରେ ଏକ ମାମଲା ରୁଜୁ କରି ପୁଲିିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତରୁ ଜାଣି ପାରିଥିଲା ଯେ ଗତ ବର୍ଷ ଗିରି ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ଭାଲୁଖାଇ ଗାଁର ୮- ୧୦ ପରିବାର ମଧ୍ୟ ଇଟାଗଢ଼ା କାମ କରୁଥିଲେ। ସେତେବେଳେ ଭାଲୁଖାଇ ଗାଁର ବୈକୁଣ୍ଠ ଓ ଖଗେଶ୍ୱର ସହ କୌଣସି କାରଣରୁ ଗିରିଙ୍କ ଝମେଲା ହୋଇଥିଲା। ସେଠାରୁ ଫେରିଲା ପରେ ଗିରି ମଝିରେ ମଝିରେ ଭାଲୁଖାଇ ଗାଁକୁ ଆସୁଥିଲେ।

ଏହାକୁ ନେଇ ବୈକୁଣ୍ଠ, ଖଗେଶ୍ୱର ଏବଂ ଲଡ଼ୁ ବାବା କିଛି ଦିନ ପୂର୍ବେ ଗିରିଙ୍କ ଘରକୁ ଆସି ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଗୋଲାପୀ ପୁଲିସକୁ କହିଛନ୍ତି। ଲଡ଼ୁ ବାବା ପୁଲିସକୁ ଦେଇଥିବା ବୟାନ ଅନୁସାରେ, ତାଙ୍କ ଜଣେ ସଂପର୍କୀୟ ମହିଳା ସହିତ ଗିରିଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ। ତେଣୁ ରାଗ ସମ୍ଭାଳି ନପାରି ଗିରିଙ୍କୁ ବାଡ଼ିରେ ପିଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe