ଜମିଜମା ବିବାଦରୁ ହତ୍ୟା ମାମଲା : ୪ଜଣ ଆସାମୀଙ୍କୁ ଆଜୀବନ ଜେଲ୍‌

Advertisment
ଜମିଜମା ବିବାଦରୁ ହତ୍ୟା ମାମଲା : ୪ଜଣ ଆସାମୀଙ୍କୁ ଆଜୀବନ ଜେଲ୍‌

ବାଲେଶ୍ୱର : ଜମିଜମା ଓ ପୂର୍ବବିବାଦକୁ କେନ୍ଦ୍ରକରି ଦୁଇବର୍ଷ ତଳେ ଘଟିଥିବା ଏକ ସଂଘବଦ୍ଧ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ସଂପୃକ୍ତ ୪ଜଣ ଆସାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଅନ୍ୟ ୬ଜଣ ନିର୍ଦୋଷରେ ଖଲାସ ହୋଇଛନ୍ତି। ଦଣ୍ଡିତ ଆସାମୀମାନେ ହେଲେ ମକରା ସିଂ, ହେମେନ୍ଦ୍ର ସିଂ, ଫକୀରମୋହନ ସିଂ ଓ ବୁଦ୍ଧିରାମ ସିଂ।

ମାମଲାର ବିବରଣୀ ଅନୁଯାୟୀ ଘଟଣା ଘଟିଥିଲା ୨୦୧୫ ଜୁଲାଇ ୫ ତାରିଖ ଭୋର୍‌ରୁ। ନୀଳଗିରି ଥାନା ଶାଳବଣି ଗାଁରେ ଏକ ସଂଘବଦ୍ଧ ଆକ୍ରମଣରେ ବାପପୁଅଙ୍କ ମୃତ୍ୟୁ ଘଟିଥିଲା। ଭୋର୍‌ ୪ଟା ବେଳେ ଗାଁର ମକରା ସିଂ, ହେମେନ୍ଦ୍ର ସିଂ, ବୁଦ୍ଧିରାମ ସିଂ ଓ ଫକୀରମୋହନ ସିଂଙ୍କ ସମେତ ଆଉ କିଛି ଲୋକ ମାରଣାସ୍ତ୍ର ଧରି ଗାଁର ସନିଆ ସିଂଙ୍କ ଘରେ ପଶିିଥିଲେ। ସନିଆ ଓ ତାଙ୍କ ପୁଅ ବାବୁଲାଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ପିଟିବା ସହ ଦୁହିଁଙ୍କୁ ଘରୁ ଘୋଷାରି ଆଣିଥିଲେ। ପରେ ବାବୁଲାଙ୍କ ସମେତ ପରିବାରର ମହିଳାମାନଙ୍କୁ ମଧ୍ୟ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ।

ଏପଟେ ସନିଆଙ୍କୁ ଏକ ଦଉଡ଼ିଆ ଖଟରେ ପକାଇ ଆସାମୀମାନେ ମାଡ଼ିବସିଥିଲେ। ଅଭିଯୁକ୍ତ ମକରା ସିଂ ଏକ କଟୁରିରେ ସନିଆଙ୍କ ହାତ, ଗୋଡ଼ ଓ ମୁଣ୍ଡକୁ ହାଣିଥିଲେ। ପରେ ସେମାନେ ବାବୁଲାଙ୍କୁ ଗଛରୁ ଖୋଲି ଆଣି ତାଙ୍କୁ ମଧ୍ୟ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ଗ୍ରାମବାସୀ ଧାଇଁ ଆସିବାରୁ ଅଭିଯୁକ୍ତମାନେ ଖସି ପଳାଇଥିଲେ। ଗାଁଲୋକେ ରକ୍ତ ଜୁଡ଼ୁବୁଡ଼ୁ ସନିଆ ଓ ବାବୁଲାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସନିଆଙ୍କ ସମ୍ପର୍କୀୟ ଭାଇ ପୂର୍ଣ୍ଣଚନ୍ଦ୍ର ସିଂଙ୍କ ଏତଲା ଆଧାରରେ ନୀଳଗିରି ଥାନା ପୁଲିସ କେସ୍‌ ନମ୍ବର ୧୯୭/୧୫ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦୧୬ ଅପ୍ରେଲ ୪ରୁ ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା। ଆଜି ଏହାର ରାୟ ପ୍ରକାଶ ପାଇଛି। ମାନ୍ୟବର କୋର୍ଟ ୨୩ଜଣ ସାକ୍ଷୀଙ୍କ ବୟାନ ଓ ମୋକଦ୍ଦମାର ଆବଶ୍ୟକ କାଗଜପତ୍ର ତର୍ଜମା କରି ଆସାମୀମାନଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ ନିର୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ନଳିନୀ ପଣ୍ଡା ଓ ସୁଲୋଳିତ କର ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe