the Text Talk
ଜଳେଶ୍ୱର: ଜଳେଶ୍ୱର ସହକାରୀ ଦୌରାଜଜ୍ ସୁଶିଲ କୁମାର ସାହୁଙ୍କ ଅଦାଲତ ଏକ ହତ୍ୟା ଉଦ୍ୟମ ମାମଲାରେ ରାୟ ଶୁଣାଇଛନ୍ତି। ଜଳେଶ୍ୱର ବ୍ଲକ୍ ତଥା ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମର ଅରବିନ୍ଦ ନାୟକ (୪୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
୨୦୨୧ ମସିହା ଜୁଲାଇ ମାସ ୨୫ ତାରିଖ ଦିନ ରାଜନଗର ପାଟଣା ଗ୍ରାମର ହରିଶ୍ଚନ୍ଦ୍ର ବେହେରା ବିଲରେ ଛେଳି ଚରାଉଥିବା ବେଳେ ଗ୍ରାମର ଅରବିନ୍ଦ ନାୟକ ଶତ୍ରୁତା କାରଣରୁ ଏକ ଲୁହାରଡ୍ରେ ହରିଶ୍ଚନ୍ଦ୍ରଙ୍କ ମୁଣ୍ଡକୁ ପିଟି ଲହୁଲୁହାଣ କରି ପକାଇଥିଲେ। ହରିଶ୍ଚନ୍ଦ୍ର ଗୁରୁତର ଅବସ୍ଥାରେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ହରିଶ୍ଚନ୍ଦ୍ରଙ୍କ ଭାଇ ଅମୂଲ୍ୟ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ପୁଲିସ ୫୨/୨୧ରେ ଏକ ମାମଲା ରୁଜୁ କରିଥିବା ବେଳେ ଜଳେଶ୍ୱର ସହକାରୀ ଦୌରାଜଜଙ୍କ କୋର୍ଟରେ ବିଚାର ଚାଲିଥିଲା। ବିଚାର ବେଳେ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡିସନାଲ୍ ପିପି ନିତ୍ୟଗୋପାଳ ଦାସ ମାମଲା ପରିଚାଳନା କରୁଥିଲେ।
Follow Us