ଜଳେଶ୍ଵର (ସତ୍ୟ ନାରାୟଣ ପ୍ରଧାନ): ବ୍ରାଉନସୁଗର ବେପାର ପରି ଜଳେଶ୍ଵରରେ ଏବେ ଗଞ୍ଜେଇ ବେପାର ମଧ୍ୟ ଜୋରସୋରରେ ଚାଲିଛି।ଗାଁ ଠୁ ସହର ସବୁଠି ଗଞ୍ଜେଇ ବେପାରୀ ଛାଇ ହୋଇ ଯାଇଥିବା ବେଳେ ସେମାନଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ଗତ କିଛି ବର୍ଷ ହେଲା ଜଳେଶ୍ଵର ବ୍ରାଉନସୁଗର ବେପାରର ହବ ପାଲଟିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏବେ ପୁଣି ବେଧଡକ ଭାବେ ଗଞ୍ଜେଇ କାରବାର ଜୋରସୋରରେ ଚାଲିଛି।
ବୌଦ୍ଧ ଓ ଫୁଲବାଣୀରୁ ଜଳେଶ୍ଵରକୁ ସୁଇଫ୍ଟ ଡିଜେୟାର,ଡଷ୍ଟର ସମେତ ଅନ୍ୟ ଡିକି ବଡ ଥିବା ଗାଡ଼ିରେ ମାସକୁ ୧୦ ରୁ ୧୫ ଥର ଗଞ୍ଜେଇ ଆସୁଛି।ଥରକେ ଗୋଟିଏ ଗାଡିରେ ୨ ରୁ ୩ କ୍ୟୁଣ୍ଟାଲ ଗଞ୍ଜେଇ ଆସୁଛି।ଯେଉଁ ଗାଡ଼ିରେ ଗଞ୍ଜେଇ ଆସୁଛି ସେହି ଗାଡ଼ି ଆଗରେ ଗୋଟିଏ ଏସ୍କଟ ଗାଡି ରହୁଛି।ଗଞ୍ଜେଇ ଆଣୁଥିବା ଗାଡ଼ି ଗୁଡ଼ିକ ଓଡି୩୩ ନମ୍ବର ର ଗାଡି ବୋଲି ଜଣାପଡିଛି।ରାତି ୧୧ ଟାରୁ ରାତି ୧ ଟା ମଧ୍ୟରେ ଏହି ଗଞ୍ଜେଇ ଗାଡ଼ି ଜଳେଶ୍ଵର କିମ୍ବା ଜଳେଶ୍ଵର ପାର୍ଶ୍ଵବର୍ତ୍ତୀ ସ୍ଥାନରେ ଲାଗୁଛି।ଜଳେଶ୍ଵର ଥାନା ଅଧିନସ୍ଥ ପଶ୍ଚିମବାଡ,ସୁଗୋ,ରାଜପୁର ଓ ରାଇବଣିଆ ଥାନାର ଚାଫଲା
ଗାଁ ହେଉଛି ଗଞ୍ଜେଇର ଷ୍ଟକ ପଏଣ୍ଟ। ବୌଦ୍ଧରୁ ଆସୁଥିବା ଗଞ୍ଜେଇ କିଲୋ ପିଛା କିଣା ମୂଲ୍ୟ ୧୦ ହଜାର ହୋଇଥିବା ବେଳେ ଫୁଲବାଣୀରୁ ଆସୁଥିବା ଗଞ୍ଜେଇର କିଣା ମୂଲ୍ୟ ୭ ହଜାର ଟଙ୍କା ରହିଛି। କିନ୍ତୁ ଜଳେଶ୍ୱରର ବେପାରୀମାନେ ଏହାକୁ ଦୁଇ ଗୁଣା ମୂଲ୍ୟରେ ବିକ୍ରି କରୁଛନ୍ତି। କୁହାଯାଇଛି ଜଳେଶ୍ଵର ବିଭିନ୍ନ ପାନବିଡି, ଚା, ଜଳଖିଆ, ତେଜରାତି ଆଦି ଦୋକାନରେ ଖୋଲାଖୋଲି ଗଞ୍ଜେଇ ବିକ୍ରି ହେଉଛି। ଯେକୌଣସି ଦୋକାନରେ ୨/୩ କିଗ୍ରା ଗଞ୍ଜେଇ ରଖିବା ଏକ ସାଧାରଣ କଥା ହୋଇଛି। ଜଳେଶ୍ଵର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସାଇରାମ ହୋଟେଲ ସନ୍ନିକଟ ଦୁଇଟି ପାନବିଡି ଦୋକାନ ରେ ଖୋଲାଖୋଲି ଗଞ୍ଜେଇ ବିକ୍ରି ହେଉଛି।
ଆହୁରି ପଢ଼ନ୍ତୁ: ଜଳେଶ୍ବରରେ ମହାପ୍ରୟାଣ ଗାଡ଼ି, ପଳାସିଆ ଗାଁରେ ହେବ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର
ସେହିପରି ବ୍ଲକ ବଜାର, ହାଟ ଭିତରେ ଥିବା ଏକ ଭୁଗୁନି ଦୋକାନ, ପଥରପୁରାର ଦୁଇ ଜଣକ ଘରେ, ନୂଆବଜାର ତାରିଣୀ ଛକ, ଆମ୍ବଳିଅଠା ବାଇପାସ୍ ଆଦି ସ୍ଥାନରେ ଗଞ୍ଜେଇ ବିକ୍ରି ସହ ଗଞ୍ଜେଇ ସେବନ ପାଇଁ ସବୁପ୍ରକାର ବ୍ୟବସ୍ଥା ରହିଛି। ବିଶେଷ କରି ଗଞ୍ଜେଇ ଟାଣିବା ପାଇଁ କାଗଜରେ ତିଆରି ଏକ ସ୍ବତନ୍ତ୍ର ଚିଲମ ଯାହାର ନାମ ଗୋଗ ଏବେ ଖୋଲାଖୋଲି ଭାବେ ବିକ୍ରି ହେଉଛି। ଆଉ ଏହାକୁ କିଣୁଥିବା ଗ୍ରାହକଙ୍କ ତାଲିକାରେ ଅଧିକ ସଙ୍ଖ୍ୟକ ଯୁବ ବର୍ଗ ରହିଛନ୍ତି ବୋଲି ଗୋଗ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Ganja Seized: ଗଂଜେଇ ଚୋରା ଚାଲାଣ: କାର ସହ ଟ୍ରକ୍ ଜବତ, ୫ ଗିରଫ
ଜଳେଶ୍ଵର ସହରର ଜଣେ କୁଖ୍ୟାତ ବ୍ରାଉନସୁଗର ବେପାରୀ ଯିଏ ଏବେ ଜେଲ ରେ ଅଛି ତାର ଶଳା ପଥରପୁରା ଗ୍ରାମର, ସେ ଏବେ ଜଳେଶ୍ଵର ଅଞ୍ଚଳର ବଡ ବେପାରୀ ବୋଲି ଆଲୋଚନା ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଜଳେଶ୍ଵରକୁ ଯେତିକି ଗଞ୍ଜେଇ ଆସୁଛି ତାର ଦୁଇ ଗୁଣା ଏଠାକାର ବେପାରୀଙ୍କ ଦ୍ଵାରା ସିଧା ପଶ୍ଚିମବଙ୍ଗ ଚାଲାଣ କରାଯାଉଛି। ପଶ୍ଚିମବଙ୍ଗର କୋଲକାତା, ଖଡଗପୁର, ବେଲଦା, ଦାନ୍ତୁନ, ବୋଡେଇ, ମୋହନପୁର, ଏଗ୍ରା, ଦୀଘା, କାନ୍ଥି, ଖଡିକା ଆଦି ସ୍ଥାନକୁ ଜଳେଶ୍ଵରର ବେପାରୀମାନେ ବିପୁଳ ପରିମାଣରେ ଗଞ୍ଜେଇ ପଠେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।ହେଲେ ପ୍ରଶାସନ ପକ୍ଷରୁ ଗଞ୍ଜେଇ ବେପାର ଉପରେ ରୋକ ଲଗାଇବା ପାଇଁ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉନି। ଅବକାରୀ ବିଭାଗ ଓ ପୁଲିସ ଚୋରା ଗଞ୍ଜେଇ କାରବାର ଓ ବେପାରୀଙ୍କ ବାବଦରେ ସାମାନ୍ୟ ଟେର ବି ପାଉନାହିଁ।ଫଳରେ ଗଞ୍ଜେଇ ବେପାରୀ ମାନେ କଳା ଧନ ରୋଜଗାର କରି ବ୍ୟାଙ୍କ ବାଲାନ୍ସ ବଢ଼ାଇବା ସହ ଜମିଜମା କିଣି ଚାଲିଛନ୍ତି।
Follow Us