ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରୁ ଚୋରି ଶିଶୁପୁତ୍ର ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ରେମୁଣା ଥାନା ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ଶିଶୁଟିକୁ ଚୋରି କରିଥିବା ମହିଳାଜଣକ ଗତକାଲି ତାଙ୍କ ଶିଶୁକନ୍ୟାକୁ ଧରି ସ୍ୱାମୀଙ୍କ ସହ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ଶିଶୁକନ୍ୟାଟି ତାଙ୍କର ଦ୍ଵିତୀୟ ଶିଶୁକନ୍ୟା ଥିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଖୁସି ନଥିଲେ। ତେଣୁ ଶିଶୁକନ୍ୟାଟିକୁ କେଉଁଠି ବଦଳାଇ ପୁତ୍ର ସନ୍ତାନଟିଏ ପାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେ ଗତକାଲି ମଧ୍ୟାହ୍ନରେ ଜିଲ୍ଲା ହସ୍ପିଟାଲକୁ ଆସି ସିଧା ମା ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର(ଏମସିଏଚ)କୁ ଯାଇଥିଲେ। ସେଠାରେ ଏସଏନସିୟୁରେ ଚିକିତ୍ସା ହେଉଥିବା ବାଲିଆପାଳ ଅଞ୍ଚଳ ସୁଶାନ୍ତ ବାରିକ ଓ ଟିକିଲି ବାରିକଙ୍କ ନବଜାତ ଶିଶୁପୁତ୍ର ଉପରେ ତାଙ୍କ ଆଖି ପଡ଼ିଥିଲା। ଶିଶୁପୁତ୍ରଟି ପାଖରେ କେହି ନଥିବାର ସୁଯୋଗ ଦେଖି ମହିଳାଜଣକ ତାଙ୍କ ଶିଶୁକନ୍ୟାକୁ ସେଠାରେ ଶୁଆଇ ନବଜାତ ଶିଶୁକୁ ନେଇ ଚମ୍ପଟ ମାରିଥିଲେ। କିଛି ସମୟ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ପୁଲିସ ଏହାର ଛାନଭିନ ଆରମ୍ଭ କରିଥିବା ବେଳେ ଚୋରି ହୋଇଥିବା ଶିଶୁର ମା, ବାପା ଓ ସମ୍ପର୍କୀୟ ସିଡିଏମଓଙ୍କୁ ଘେରିଥିଲେ।
ସବୁଠୁ ବଡ଼ କଥା, ଏହି ସମୟରେ ହସ୍ପିଟାଲ ପରିସରରେ ଥିବା ଏକ ଔଷଧ ଦୋକାନୀ ପୁଲିସକୁ ସୂଚନା ଦେଇଥିଲେ, ଗତକାଲି ଦି' ପହର ସମୟରେ କେହିଜଣେ ମହିଳା ବ୍ୟସ୍ତବିବ୍ରତ ହୋଇ ତାଙ୍କୁ ମୋବାଇଲ ମାଗିଥିଲେ। ସେ ତାଙ୍କ ନିଜ ମୋବାଇଲ ଦେବା ପରେ ମହିଳାଜଣକ ତାଙ୍କ ସ୍ୱାମୀଙ୍କୁ ଫୋନ କରି ହସ୍ପିଟାଲକୁ ଡକାଇଥିଲେ। କିଛି ସମୟ ପରେ ତାଙ୍କ ସ୍ୱାମୀ ସେଠାରେ ପହଞ୍ଚିବା ପରେ ସେଠାରୁ ସେମାନେ ଚମ୍ପଟ ମାରିଥିଲେ। ପୁଲିସ ଔଷଧ ଦୋକାନୀଙ୍କ ଏହି ସୂଚନା ମୂଳେ ଉକ୍ତ ନମ୍ବରକୁ ଟ୍ରେସିଂ କରିଥିଲେ। ରାତି ପ୍ରାୟ ୩ଟା ବେଳେ ରେମୁଣା ଥାନା ନିକଟ ଖୁସାଲିଗଞ୍ଜ ଗ୍ରାମରୁ ଉକ୍ତ ଦମ୍ପତିଙ୍କୁ ଧରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ଶିଶୁଟିକୁ ଉଦ୍ଧାର କରିଥିଲେ।
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁପୁତ୍ର ଉଦ୍ଧାର
Advertisment
Follow Us