ମୁଁ ଉପନିର୍ବାଚନ ପ୍ରାର୍ଥୀ ଦୌଡ଼ରେ ନାହିଁ : ରବୀନ୍ଦ୍ର ଜେନା 

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ରବୀନ୍ଦ୍ର : ‘ନିର୍ବାଚନ ଲଢ଼ିବିନି ବୋଲି ଆଗରୁ କହିଥିଲି’, ଦଳ ଛାଡ଼ିବା ଖବର ମିଛ, ମନଗଢ଼ା

ଭୁବନେଶ୍ୱର : ବାଲେଶ୍ୱର ସଦର ଉପନିର୍ବାଚନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତା ରବୀନ୍ଦ୍ର ଜେନା । ସେ କହିଛନ୍ତି ଯେ ତାଙ୍କର  ଦଳ ଛାଡ଼ିବା ଖବର ଏକ ଗୁଜବ ଓ ସେ ଦଳରେ ଅଛନ୍ତି । ତେବେ ସେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ । ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବେ ।

ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହ ଚାଲିଥିବା ରୁଦ୍ଧଦ୍ୱାର ବୈଠକରୁ ବାହାରିବା ପରେ ଏଭଳି ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସେ କହିଛନ୍ତି କି ବାଲେଶ୍ୱର ସଦରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଟିକେଟ ଦୌଡରେ ସେ ନାହାନ୍ତି । ଏହା ସହ ସେ ନିଜ ପାଇଁ ଆଉ ଭୋଟ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

୨୦୧୪ ନିର୍ବାଚନ ପୂର୍ବରୁ ହଠାତ ରାଜନୀତିରେ ପ୍ରବେଶ କରିଥିଲେ ଶିଳ୍ପପତି ରବୀନ୍ଦ୍ର ଜେନା । ହଠାତ୍ ବିଜେଡିରେ ଯୋଗ ଦେଇ ବାଲେଶ୍ୱର ଭଳି ସମ୍ବେଦନଶୀଳ ଆସନରୁ ଦଳୀୟ ଟିକେଟ୍ ହାତେଇଥିଲେ ।  ଟିକେଟ ହାତେଇବା ସହ ବାଲେଶ୍ୱରରୁ ସାଂସଦ ଭାବେ ଜିତି ଦଳ ଭିତରେ ନିଜର ସ୍ଥିତି ଜାହିର କରିପାରିଥିଲେ । ହେଲେ ୨୦୧୯ ନିର୍ବାଚନ ବେଳେ ଦଳ ତାଙ୍କୁ ଟିକେଟ ଦେଇଥିଲେ ବି ରବୀନ୍ଦ୍ରଙ୍କ ବିଜୟୀ ହୋଇ ପାରି ନଥିଲେ। ବିଜେପି ପ୍ରାର୍ଥୀ ପ୍ରତାପ ଷଢ଼ଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି ଯେ ସଦର ଉପନିର୍ବାଚନ ଲାଗି କାହାକୁ ଦାୟିତ୍ୱ ଦିଆଯାଇନାହିଁ । ସେ ସମ୍ପର୍କରେ ଦଳର ସଭାପତି ନିଷ୍ପତ୍ତି ନେବେ । ରବୀନ୍ଦ୍ର ଜେନା ଦଳର ଜିଲ୍ଲା ସଭାପତି ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe