ବାଲେଶ୍ୱର ଜେଲ୍‌କୁ କରୋନା ଭୟ : ରହୁଛନ୍ତି କ୍ଷମତାଠାରୁ ଅଧିକ କଏଦୀ

Advertisment
ଜେଲ ଅଧିକାରୀ ଓ କର୍ମଚାରୀଙ୍କୁ ୟୁନିଫର୍ମ ବାବଦରେ ମିଳିବ ଟଙ୍କା

Telegraph

ବାଲେଶ୍ୱର : ବାଲେଶ୍ବର କାରାଗାରକୁ କରୋନା ଭୟ। ଜେଲ୍‌ରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ ରହୁଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ମହାମାରୀ କୋଭିଡ଼୍‌ ଭୂତାଣୁ ଦ୍ରୁତଗତିରେ ମାଡ଼ୁଥିବାରୁ ଏହାକୁ ରୋକିବା ବର୍ତ୍ତମାନ କାଠିକର ପାଠ ହୋଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ହିଁ ସଂକ୍ରମଣକୁ ରୋକିବାର ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ହେଲେ ଏଭଳି ସ୍ଥିତିରେ ବାଲେଶ୍ବର ଜେଲକୁ ଦେଖିଲେ ବିସ୍ମୟ ଲାଗୁଛି। କାରଣ କାରାଗାରରେ ରହିବା କ୍ଷମତାଠାରୁ ଢ଼େର ଅଧିକ ଅନ୍ତେବାସୀ ରହୁଛନ୍ତି। ଜିଲ୍ଲା କାରାଗାରରେ ୪୮୦ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ସେଠାରେ ୫୩୫ ଜଣ ଅଛନ୍ତି। ଯାହାକି କ୍ଷମତାଠାରୁ ୫୫ ଜଣ ଅଧିକ। ଫଳରେ ଏଠାରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟସାଧ୍ୟ ବ୍ୟାପାର ହୋଇଛି। ଯଦିଓ ଏପର୍ଯ୍ୟନ୍ତ କାରାଗାରରେ କେହି ଜଣେ ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି, ହେଲେ ସଂକ୍ରମଣ ଆଶଙ୍କାଙ୍କୁ ଏଡ଼ାଇ ଦିଆଯାଇ ନପାରେ। ଯଦି ଜେଲରେ କେହି ସଂକ୍ରମିତ ହୁଅନ୍ତି ତେବେ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ଅମୂଳକ ନୁହେଁ। ଯାହାକୁ ନେଇ ଜେଲରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

ଅନ୍ୟପଟେ ଜେଲ୍‌ ସୁପରିନଟେଣ୍ଡେଣ୍ଟ ସୁଜିତ୍‌ କୁମାର ରାଉଳ କହିଛନ୍ତି ଯେ କଏଦୀଙ୍କ ସୁରକ୍ଷା ଲାଗି କୋଭିଡ୍‌ ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି। ଲକ୍‌ଡାଉନ୍‌ ପରଠାରୁ ଜେଲ୍‌ ଭିତରକୁ ବାହାର ଜିନିଷ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏମିତିକି ଇ-ମୁଲାକାତକୁ ମଧ୍ୟ ବନ୍ଦ କରାଯାଇଛି। ଜେଲ୍‌କୁ ପ୍ରତି ୧୫ ଦିନରେ ସାନିଟାଇଜ୍‌ କରାଯାଉଛି। ଏଥିପାଇଁ ଜେଲ୍‌ରେ ସ୍ବତନ୍ତ୍ର ସାନିଟାଇଜ୍‌ ମେସିନ୍‌ ରଖାଯାଇଛି। ସେହିପରି ଜେଲ୍‌କୁ ଆସୁଥିବା ନୂଆ ଅଭିଯୁକ୍ତଙ୍କୁ ପ୍ରଥମେ ସ୍କ୍ରିନିଂ ଓ ଥର୍ମାଲ ଟେଷ୍ଟିଂ କରାଯାଉଛି। ସେମାନଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମଧ୍ୟ ଅନୁଧ୍ୟାନ କରାଯାଉଛି। ଏହାବ୍ୟତୀତ ଜେଲ ପରିସରରେ ୨ଟି କ୍ବାରାଣ୍ଟିନ୍‌ ୱାର୍ଡ କରାଯାଇଛି। ଯେଉଁଠାରେ ଏକା ସମୟରେ ଶହେ ଜଣ ରହିପାରିବେ। ନୂଆ ଅଭିଯୁକ୍ତଙ୍କୁ କ୍ବାରାଣ୍ଟିନ୍ ୱାର୍ଡରେ ୧୪ ଦିନ ରଖାଯିବା ପରେ ଅନ୍ୟ କୋଠରୀକୁ ଅଣାଯାଉଛି। ସମସ୍ତଙ୍କ ପାଇଁ ମାସ୍କ ଓ ସାନିଟାଇଜ୍‌ର ବ୍ୟବସ୍ଥା କରାଯାଇଛି। ପାରୋଲ୍‌ ଓ ଫଲୋ ଲିଭ୍‌ରେ ଯାଇଥିବା ୩୦ ଜଣ କଏଦୀ ମେ ୧୮ ତାରିଖରେ ଫେରିଥିଲେ। ସ୍ବାବ୍‌ ନମୁନା ପରୀକ୍ଷଣ ପରେ ଉକ୍ତ କଏଦୀମାନଙ୍କୁ ଜେଲ୍‌ରେ ରଖାଯାଇଥିଲା। ଏ ପର୍ଯ୍ୟନ୍ତ କେହି ସଂକ୍ରମଣ ହୋଇ ନଥିବା ଶ୍ରୀ ରାଉଳ କହିଛନ୍ତି। ପ୍ରକାଶଥାଉକି, କରୋନାକୁ ଦୃଷ୍ଟିରେ ରଖି ୭ ବର୍ଷ ବା ଏହାଠାରୁ କମ୍‌ ଦଣ୍ଡ ଥିବା ମାମଲାରେ ବିଚାରାଧୀନ ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe