ବ୍ରାଉନ୍‌ସୁଗାର ଜବତ : ୨ ଯୁବକଙ୍କ ସହ ଦମ୍ପତି ଗିରଫ

ବ୍ରାଉନ୍‌ସୁଗାର ଜବତ : ୨ ଯୁବକଙ୍କ ସହ ଦମ୍ପତି ଗିରଫ

ଜଳେଶ୍ୱର/ବାହାର୍ଦ : ଆଜି ବାଲେଶ୍ୱର ଜିଲ୍ଲାର ପୃଥକ୍‌ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର ସହ ଜଳେଶ୍ୱରରୁ ଦୁଇଜଣ ଯୁବକ ଗିରଫ ହୋଇଥିବା ବେଳେ ବସ୍ତାରୁ ଏକ ଦମ୍ପତି ଗିରଫ ହୋଇଥିବା ଜଣାପଡ଼ିଛି।

ଜଳେଶ୍ୱର ଅବକାରୀ ବିଭାଗ ଓ ସଦର ଅବକାରୀ ରେଞ୍ଜ ଇନ୍‌ସପେକ୍ଟରଙ୍କ ମିଳିତ ଚଢ଼ଉରେ ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନସ୍ଥ ଶେଖବାଡ଼ ଗ୍ରାମରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର ସ୍ୱର୍ଗତ ଅମୂଲ୍ୟ ମହାନ୍ତିଙ୍କ ପୁତ୍ର ସଂଜୟ ଓ ସ୍ୱର୍ଗତ ହରିକୃଷ୍ଣ ପଟ୍ଟନାୟକଙ୍କ ପୁତ୍ର ସନ୍ତୋଷ କୁମାରଙ୍କୁ ଗିରଫ କରାଯାଇଛି। ଜଳେଶ୍ୱର ରେଳଷ୍ଟେସନ ସନ୍ନିକଟ ଶେଖବାଡ଼ ଗ୍ରାମ୍ୟରାସ୍ତାରେ ଏହି ଯୁବକଦ୍ୱୟ ବ୍ରାଉନସୁଗାର ନେଇ ଯାଉଥିବାବେଳେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଜଳେଶ୍ୱର ଅବକାରୀ ଏସ୍‌ଆଇ ହରପ୍ରସାଦ ରଣା, ଏଏସ୍‌ଆଇ ଦୋଳଗୋବିନ୍ଦ ଧଳ, ରାଜୀବ ଭଞ୍ଜ, ପ୍ରହ୍ଲାଦ ବିଶ୍ୱାଳ, ହୃଷିକେଶ ବାରିକ, ସୃଷ୍ଟିଧର ଦେହୁରୀ, କୁମୁଦିନୀ ସଁ, ମିନତୀ ଜେନା, ବାବାଜୀ ପଣ୍ଡିତ ପ୍ରମୁଖ ସାମିଲ ହୋଇଥିଲେ। ଦୁଇ ଅଭିଯୁକ୍ତଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ୨୬/୪୯/୧୭-୧୮ ନମ୍ବରରେ ମାମଲା ରୁଜୁ କରାଯିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସେହିପରି ବସ୍ତା ବ୍ଲକ୍‌ରୁ ମଧ୍ୟ ଆଜି ବ୍ରାଉନ୍‌ସୁଗାର କାରବାରରେ ଜଣେ ଦମ୍ପତି ଗିରଫ ହୋଇଛନ୍ତି। ଯାହା ଜଣାପଡ଼ିଛି; ଜଳେଶ୍ୱରରୁ ଟ୍ରେନ୍‌ ଯୋଗେ ଏଫା ରୁଦ୍ଦିନ ଓ ତାଙ୍କ ପତ୍ନୀ ନୂରଜାହାନ ବେଗମ ୧୧ ଗ୍ରାମ୍‌ ବ୍ରାଉନ୍‌ସୁଗର ନେଇ ବସ୍ତା ଆସୁଥିଲେ। ଖବର ପାଇ ବସ୍ତା ଅବକାରୀ ବିଭାଗର ଅଧିକାରୀମାନେ ସେମାନଙ୍କ ଉପରେ ନଜର ରଖିଥିଲେ। ତେବେ ବସ୍ତା ଷ୍ଟେସନ୍‌ରୁ ଦମ୍ପତି ଏକ ନମ୍ବର ବିହୀନ ପଲ୍‌ସରରେ ଷ୍ଟେସନ୍‌ରୁ ରାଜଘାଟ ଆଡ଼କୁ ଯାଉଥିବା ବେଳେ ରାଜଘାଟ ନିକଟରୁ ସେମାନଙ୍କୁ ଧରାଯାଇଥିଲା। ବିଭାଗ ପକ୍ଷରୁ ୩୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାପଡ଼ିଛି। ତେବେ ଜବତ ବ୍ରଉନ୍‌ସୁଗାରର ମୂଲ୍ୟ ପାଖାପାଖି ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe