Advertisment

ଭାଇରାଲ୍ ହେଉଛି ହାତୀ ପାଣି ପିଇବା ଦୃଶ୍ୟ; ଖୁସି ବ୍ୟକ୍ତ କଲେ ପରିବେଶବିତ୍

Advertisment
ଭାଇରାଲ୍ ହେଉଛି ହାତୀ ପାଣି ପିଇବା ଦୃଶ୍ୟ; ଖୁସି ବ୍ୟକ୍ତ କଲେ ପରିବେଶବିତ୍

ଜଳେଶ୍ଵର: ଗତ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଥିବା ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାରୁମୁଳା ପଞ୍ଚାୟତର କଦମଶୁଳ ଗ୍ରାମରେ ହାତୀ ପାଣି ପିଉଥିବାର ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ବିଶେଷ କରି ପରିବେଶ ତଥା ଜଙ୍ଗଲ ଓ ବନ୍ୟପ୍ରାଣୀ ର ସୁରକ୍ଷା ପାଇଁ କାମ କରୁଥିବା ବହୁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଙ୍ଗଠନ ନିଜ ନିଜ ଫେସବୁକ୍, ଇନଷ୍ଟ୍ରାଗ୍ରାମ ପେଜରେ ଏହି ଭିଡିଓ ଟିକୁ ପୋଷ୍ଟ କରିଥିବା ବେଳେ ଏସମ୍ପର୍କରେ ଭିନ୍ନ ଭିନ୍ନ କ୍ୟାପସନ ମଧ୍ୟ ଦେଇଛନ୍ତି। ହାତୀ ସୁରକ୍ଷା ଉପରେ କାମ କରୁଥିବା ପଶ୍ଚିମବଙ୍ଗର ନୟାଗ୍ରାମ, ଝାଡଗ୍ରାମ ମେଦିନପୁର ହାତୀ ଖବର ସଙ୍ଗଠନ ନିଜ ଫେସବୁକ୍ ପେଜରେ ହାତୀମାନେ ଓଡ଼ିଶା ଅଞ୍ଚଳରେ ପାଣି ପାଇଁ ବୁଲୁଛନ୍ତି ଲେଖି ଏହି ଭିଡିଓକୁ ପୋଷ୍ଟ କରିଛି।୫ ମିନିଟ ୫୬ ସେକେଣ୍ଡ ର ଏହି ଭିଡିଓରେ ୧୮ ଟିକିଆ ଝାରଖଣ୍ଡୀ ହାତୀପଲ କଦମଶୁଳ ମୌଜାରେ ଏକ ଜଙ୍ଗଲ ନିକଟସ୍ଥ ଏକ ଖାଲ ସ୍ଥାନରେ ପ୍ରାକୃତିକ ଭାବେ ଜମି ରହିଥିବା ପାଣି ନିକଟକୁ ଧାଡିରେ ଆଗପଛ ହୋଇ ଯାଉଛନ୍ତି।ଏହି ହାତୀପଲ ରେ ୪ ଟି ହାତୀ ଛୁଆ ରହିଥିବା ଦେଖାଯାଇଛି।କିଛି ସମୟ ଧରି ହାତୀପଲ ପାଣି ପିଇବା ପରେ ପୁଣି ସେମାନେ ଫେରି ଯାଉଛନ୍ତି।

ହାତୀପଲର ଗତିବିଧିରୁ ଲାଗୁଛି ଯେପରି ସେମାନେ ସେମାନଙ୍କ ପ୍ରାକୃତିକ ନିବାସ ମଧ୍ୟରେ ବେଶ ଆନନ୍ଦରେ ରହିଛନ୍ତି। ଏହି ଭିଡିଓ ସ୍ଥାନୀୟ ଜଣେ ଅଧିବାସୀ ନିଜ ମୋବାଇଲରେ ଉତ୍ତୋଳନ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ କୁମାର ଦାସ। ଅନ୍ୟପକ୍ଷରେ ଝାରଖଣ୍ଡରୁ ଆସିଥିବା ହାତୀପଲ ଗତ କିଛି ସପ୍ତାହ ଧରି ଓଡ଼ିଶାର ବେତନଟୀ, ରାସଗୋବିନ୍ଦପୁର, ଜଳେଶ୍ଵର, ଚାନ୍ଦିପୁର ଓ ପଶ୍ଚିମବଙ୍ଗର ନୟାଗ୍ରାମ, କେଶରେଖା ରେଞ୍ଜରେ ସ୍ବାଚ୍ଛନ୍ଦ୍ୟରେ ବୁଲିବା ଏ ଅଞ୍ଚଳରେ ବନାଞ୍ଚଳରେ ଥିବା ପ୍ରାକୃତିକ ବିଭବ ସମ୍ପର୍କରେ ସୂଚନା ଦେଉଛି ବୋଲି କହିଛନ୍ତି ପରିବେଶବିତ୍ ତଥା ଗବେଷକ ଡ.ଶ୍ରୀକାନ୍ତ ଚରଣ ପାତ୍ର ଓ ଗଙ୍ଗାଧର ଦାସ। ତେବେ ହାତୀଗୁଡ଼ିକ ପାଇଁ ବନାଞ୍ଚଳରେ ଯେପରି ପର୍ଯ୍ୟାପ୍ତ ଖାଦ୍ୟ ରହିବ ଓ ପିଇବା ପାଣି ପାଇଁ ବହୁ ସଂଖ୍ୟାରେ ପୋଖରୀ ଖନନ ପାଇଁ ସରକାର ପଦକ୍ଷେପ ନେଲେ ହାତୀ ଜନବସତି ଆଡ଼କୁ ଆସିବେନି ବୋଲି ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe