ବାଲେଶ୍ବର ଷ୍ଟେସନରେ ରେଳବାଇ କ୍ରାଇମ୍‌ବ୍ରାଞ୍ଚର ଚଢ଼ଉ: ଦଲାଲ ଗିରଫ, ଲକ୍ଷାଧିକ ଟଙ୍କାର ଟିକଟ ଜବତ

ବାଲେଶ୍ବର ଷ୍ଟେସନରେ ରେଳବାଇ କ୍ରାଇମ୍‌ବ୍ରାଞ୍ଚର ଚଢ଼ଉ:   ଦଲାଲ ଗିରଫ, ଲକ୍ଷାଧିକ ଟଙ୍କାର ଟିକଟ ଜବତ

ବାଲେଶ୍ବର: ବାଲେଶ୍ବର ରେଳଷ୍ଟେସନରେ ଟିକଟ ଦଲାଲଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଓ ପୁଲିସର ଅବହେଳା ଯୋଗୁ ମାଳ ମାଳ ଦଲାଲ ରିଜରଭେସନ କାଉଣ୍ଟର ନିକଟରେ  ସାଧାରଣ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି। ବିଶେଷ କରି ଏଠାରେ ଅଧିକ ସଂଖ୍ୟକ ପଶ୍ଚିମବଙ୍ଗ ଦଲାଲ ଘୂରିବୁଲୁଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବରୁ  ଅନେକଥର ଦଲାଲମାନଙ୍କୁ ଧରାଯାଇଥିବା ବେଳେ ସକାଳେ ରେଳ ବିଭାଗ ପକ୍ଷରୁ ଚଢ଼ଉ ହୋଇ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ; ଦାନ୍ତୁନ୍‌ର ଗୌରାଂଗ ତୀର୍ଥଯାତ୍ରୀ ନାମକ ଏକ ସଂସ୍ଥାରେ ପଶ୍ଚିମବଙ୍ଗ ନେକୁରଶୁଣି ଜିଲ୍ଲା ଦାନ୍ତୁନ ଥାନା ଅଧୀନ ତରରୁଇ ଗ୍ରାମର ନିତାଇ ଦାସ (୫୯) ଦଲାଲ ଭାବେ କାମ କରନ୍ତି। ବିଭିନ୍ନ ସମୟ‌େର ନିତାଇ ସହ ଏହି ସଂସ୍ଥାର ଅନ୍ୟ ଦଲାଲମାନେ ବାଲେଶ୍ବର ରେଳ ଷ୍ଟେସନରେ ଅସାଧୁ ଉପାୟ ଅବଲମ୍ବନ କରି ଟିକେଟ କାଟିବା ସହ ଯାତ୍ରୀମାନଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରିଥା’ନ୍ତି। ରେଳ ବିଭାଗ ନିକଟରେ ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ଧରିବା ପାଇଁ ଖଡ଼ଗପୁର ରେଲୱେ କ୍ରାଇମ୍‌ବ୍ରାଞ୍ଚ ଓ ବାଲେଶ୍ବର ଆର୍‌ପିଏଫ୍‌କୁ ନେଇ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଆଜି ସକାଳେ ବାଲେଶ୍ବର ଷ୍ଟେସନର ଟିକେଟ କାଉଣ୍ଟର ସାମ୍‌ନାରୁ ନିତାଇ ଦାସଙ୍କୁ ଧରିଥିଲା। ତାଙ୍କ ନିକଟରୁ ୫୨ଟି ଟିକଟ ଜବତ କରାଯାଇଥିଲା। ଯେଉଁଥିରେ ୩୩ଟି ଲାଇଭ୍‌ ରିଜରଭେସନ ଓ ୧୯ଟି କେନ୍‌ସଲ ହୋଇସାରିଥିବା ଟିକେଟ୍‌ ଥିଲା। ଜବତ  ଟିକେଟ୍‌ର ମୂଲ୍ୟ ୩, ୮୫,୫୭୦ ଟଙ୍କା ବୋଲି ଜଣାପଡ଼ିଛି। ଏହାଛଡ଼ା ତାଙ୍କଠାରୁ ନଗଦ ୬୮୦୦ ଟଙ୍କା, ଗୋଟିଏ ମୋବାଇଲ୍‌ ଓ ୫ ଟି ରିଜରଭେସନ ଟିକଟ ଫର୍ମ ଜବତ କରାଯାଇଛି। ଏନେଇ ୫୧୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନିତାଇ ଗିରଫ ହୋଇଛନ୍ତି। ଅନ୍ୟ ‌ଦଲାଳମାନଙ୍କୁ ଧରିବା ପାଇଁ ଜୋରଦାର ତନାଘନା ଆରମ୍ଭ ହୋଇଥିବା ଇନ୍ସପେକ୍ଟର ସୁରେଶ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe