ବାଲେଶ୍ଵର: ବିଗତ କିଛି ଦିନ ହେବ ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ମନ୍ଦିର ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ବାଲେଶ୍ଵର ପୁଲିସ ଘଟଣାର ପର୍ଦ୍ଦଫାଶ କରିଛି। ଜିଲ୍ଲାର ବିଭିନ୍ନ ଫାଣ୍ଡିରେ କେସ ରେଜିଷ୍ଟର ପରେ ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସଦର ଏସ.ଡି.ପିଓଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଗ୍ୟାଙ୍ଗକୁ ବାଲେଶ୍ୱର ପୁଲିସ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ସମସ୍ତ ଲୋକ ମୟୁରଭଞ୍ଜ ଅଞ୍ଚଳ ଲୋକ। ଏନେଇ ଆଜି ବାଲେଶ୍ଵର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
ତେବେ ଗତ ୫ ତାରିଖରେ ଚାନ୍ଦିପୁର ଅଞ୍ଚଳରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ରିମାଣ୍ଡ ନେବା ପରେ ପୁଣି ୩ ଜଣ ସାମ୍ନାକୁ ଆସିଛନ୍ତି। ସେମାନଙ୍କ ପାଖରୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଉର୍ଦ୍ଧ୍ବ ଆକଳନ କରାଯାଉଛି। ତେବେ ଏହି ଗ୍ୟାଙ୍ଗ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଥିବା ବହୁ ମନ୍ଦିରରୁ ପିତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଉଭାନ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଚୋର ମନ୍ଦିର ଅସବାଵପତ୍ର ସହ ଅଳଙ୍କାର ଚୋରି କରୁଥିବା ବେଳେ ଆଉ ୩ ଜଣ ବିକ୍ରି ପାଇ ଉଦ୍ୟମ କରୁଥିଲେ। ସାଇବର ଟିମ ଓ ଜିଲ୍ଲା ଗୁଇନ୍ଦା ବିଭାଗ ଏମାନଙ୍କ ଉପରେ ଦୀର୍ଘ ଦିନଧରି ନଜର ରଖିଥିଲା। ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ସମୁଦାୟ ୧୯ଟି ମନ୍ଦିର ଚୋରି କେସରେ ୮୦ ପ୍ରତିଶତ ଜିନିଷ ମିଳିଯାଇଛି। ବାକି ୬ଟି ମନ୍ଦିର ଚୋରି କେସର ତଦନ୍ତ ଚାଲିଛି।
Follow Us