ବନ୍ଧୁକ ଲଗାଇ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ବନ୍ଧୁକ ଲଗାଇ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ସୋର : ମୁଣ୍ଡରେ ବନ୍ଧୁକ ଲଗାଇ ସୋର ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଳୁଟ୍‌ ହୋଇଛି। ଏ ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୁଲିସ ତନାଘନା କରୁଥିଲେ ବି ଲୁଟେରାଙ୍କ ପତ୍ତା ପାଇବାରେ ସଫଳ ହୋଇନାହିଁ। ସୂଚନା ଅନୁସାରେ, ଆଜି ସଂଧ୍ୟା ୭ଟା ବେଳେ ପାଞ୍ଚନମ୍ବର ଜାତୀୟ ରାଜପଥ ଚଡ଼କମରା ତାରିଣୀ ଛକ ନିକଟ ରାସ୍ତାରେ ଏକ ତିନି ଜଣିଆ ଲୁଟେରା ଦଳ ପୁଅବେକରେ ଭୁଜାଲି ଓ ମାଆମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ୍‌ ଏବଂ ଟଙ୍କା ବ୍ୟାଗ୍‌ ଲୁଟିନେଇଛନ୍ତି।

ସୋର ବ୍ଲକ ସାଜନପୁର ପଞ୍ଚାୟତ ଅଙ୍କବରମପୁର ଗ୍ରାମର କରୁଣାକର ହାତୀଙ୍କ ସ୍ତ୍ରୀ ବିମଳା ହାତୀ(୫୦)ଏବଂ ତାଙ୍କର ପୁଅ ହିତେଶ ହାତୀ(୨୨) ତାଙ୍କ ବାଇକ୍‌ରେ ସଂଧ୍ୟା ବେଳେ ବିମଳାଙ୍କ ବାପଘର ବାଲିଖଣ୍ଡକୁ ଯାଉଥିବା ବେଳେ ତାରିଣୀ ଛକକୁ ଉଠିବା ପୂର୍ବରୁ ରାସ୍ତା ଉପରେ ଏକ ଆପାଚି ଗାଡ଼ିରେ ତିନିଜଣ ଲୁଟେରା ଆସି ଅଡ଼ା ପକାଇ ଅଟକାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହିତେଶ ବେକରେ ଭୁଜାଲି ଲଗାଇ ଅଟକ ରଖିବା ବେଳେ ଅନ୍ୟ ଜଣେ ବିମଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ବେକରୁ ୧୨ ଗ୍ରାମ ଓଜନର ସୁନା ଚେନ୍‌ ଛିଣ୍ଡାଇ ନେଇଥିଲା। ସେମାନଙ୍କ ପାଖରେ ଥିବା ଏକ ବ୍ୟାଗ୍‌କୁ ନେଇଯାଇଥିବା ବେଳେ ସେଥିରେ ୧,୧୨୦ ଟଙ୍କା, ଏଟିଏମ୍‌ କାର୍ଡ, ଭୋଟର ପରିଚୟପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଥିଲା। ତାଙ୍କ ବାଇକ୍‌ର ଚାବିକୁ ଛଡ଼ାଇ ନେଇ ଲୁଟେରା ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଆଡ଼େ ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe