ବାଲେଶ୍ବରରେ ସରିଲା ମହରମ୍‌: ଆକର୍ଷଣ ସାଜିଲା ତ୍ରିରଙ୍ଗା ଝାଙ୍କି

ବାଲେଶ୍ବରରେ ସରିଲା ମହରମ୍‌: ଆକର୍ଷଣ ସାଜିଲା ତ୍ରିରଙ୍ଗା ଝାଙ୍କି

ବାଲେଶ୍ବର: ବାଲେଶ୍ବର ସହରରେ ଶାନ୍ତିଶୃଙ୍ଖଳାର ସହ ମହରମ ପର୍ବ ପାଳିତ ହେବା ସହ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ସହରର ବିଭିନ୍ନ ଅଞ୍ଚଳରୁ ୧୨ଟି ଆଖଡ଼ା ଦଳ ସାମିଲ ହୋଇଥିଲେ। ‌ଶନିବାର ବିଳମ୍ବିତ ରାତିରେ ୧ ନମ୍ବର ଆଖଡ଼ା ଓ ୨ ନମ୍ବର ଆଖଡ଼ା ଦଳର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ସେମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିନଥିବା ବେଳେ ୬ ନମ୍ବର ଆଖଡ଼ା ଦଳ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇନଥିଲେ। ଏହି ଅବସରରେ ପ୍ରଦର୍ଶିତ ତ୍ରିରଙ୍ଗା ଝାଙ୍କି ଏବଂ ଆଖଡ଼ା ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା। ପ୍ରତିକୂଳ ପାଗ ହେତୁ ଶୋଭାଯାତ୍ରା ସାମାନ୍ୟ ବିଳମ୍ବରେ ବାହାରିଥିଲା। ରାତି ପ୍ରାୟ ୧୦ଟା ବେଳେ ଶୋ‌ଭାଯାତ୍ରା ବାହାରିଥିଲା। ଏଥିରେ ସାମିଲ ହୋଇଥିବା ଯୁବକମା‌ନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ।

ସୁରକ୍ଷା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସିଟି ଡିଏସ୍‌ପି ଅମୂଲ୍ୟ ଧରଙ୍କ ନେତୃତ୍ବରେ ଟାଉନ୍‌ ଥାନା ଆଇଆଇସି ପର୍ଶୁରାମ ସାହୁ ଏବଂ ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିଥିଲେ। ଶୋଭାଯାତ୍ରାରେ ମୁସ୍‌ଲିମ ଯୁବକମାନଙ୍କର ଆଖଡ଼ା ପ୍ରଦର୍ଶନ ଦେଖିବାକୁ ରାସ୍ତାରେ ନାହିଁ ନଥିବା ଭିଡ଼ ଦେଖାଯାଇଥିଲା। ଏହି ଶୋଭାଯାତ୍ରା ଦରଘା ମଇଦାନରେ ଶେଷ ହୋଇଥିଲା। ଏହି ଅବସରରେ ଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ସବିତା ସାହୁ, ଭାଗବତ ସାହୁ, ସାହିରୁଲ ହକ, ସେକ ଆୟୁବ, ଚିନ୍ମୟ ବିଶ୍ୱାଳ, ଅସିତ ଦାସ, ସତ୍ୟନ୍ଦ୍ର ଦାସ, ସେକ ରଜାବ ଅଲ୍ଲୀ, ନଳିନୀ ରଞ୍ଜନ ଦାସ, ଦିଲଦାର ଖାନ, ସାକିର ବାବୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ସାଂସ୍କୃତିକ, ସାମାଜିକ ସଙ୍ଗଠନ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇ ଭାଇଚାରାର ନିଦର୍ଶନ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe