ପୁଲିସ ପଞ୍ଝାରେ ୩ କୁଖ୍ୟାତ ଲୁଟେରା: ୬ ମାସରେ ଲୁଟିଥିଲେ ୮ ଲକ୍ଷରୁ ଅଧିକ ଟଙ୍କା

ପୁଲିସ ପଞ୍ଝାରେ ୩ କୁଖ୍ୟାତ ଲୁଟେରା: ୬ ମାସରେ ଲୁଟିଥିଲେ ୮ ଲକ୍ଷରୁ ଅଧିକ ଟଙ୍କା

ବାଲେଶ୍ବର: ବାଲେଶ୍ବର ସହରରେ ଗତ କିଛି ମାସ ଧରି ଆତଙ୍କ ରଚିଥିବା ଏକ ଲୁଟେରା ଗ୍ୟାଙ୍ଗ୍‌ର ୩ କୁଖ୍ୟାତ ଲୁଟେରାଙ୍କୁ ଆଜି ସହଦେବଖୁଣ୍ଟା ଥାନାର ପୁଲିସ ଟିମ୍‌ କାବୁ କରିଛି। ସେମାନଙ୍କ ଠାରୁ ୪୯ ହଜାର ନଗଦ ଟଙ୍କା ସହ ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଭୁଜାଲି, ଦୁଇଟି ବାଇକ୍‌ ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ଗିରଫ ହୋଇଥିବା ଏହି ୩ ଲୁଟେରା ହେଲେ ବାଲେଶ୍ବର ସହର ଟାଉନ ଥାନା ବାଲୁବଜାର ଅଞ୍ଚଳର ସେକ୍‌ ସାହେବ ଅଲ୍ଲୀ ଓରଫ୍‌ ସୈଫ୍‌ଅଲ୍ଲୀ(୧୯), ସହଦେବଖୁଣ୍ଟା ଥାନା ମସଜିଦ୍‌ ଗଳିର ସେକ୍‌ ସବିର ଓରଫ୍‌ ମିଟୁ(୩୧) ଏବଂ ଅରଡ଼ବଜାର ଗଳାପୋଲ ଅଞ୍ଚଳର ଜାଭେଦ୍‌ ଖାନ୍‌ ଓରଫ୍‌ ଜାକିର(୧୯)। ନିୟମିତ ଭାବେ ଏହି ଲୁଟେରାମାନେ ବାଲେଶ୍ବର ସହରର ବିଭିନ୍ନ ବ୍ୟାଙ୍କ୍‌, ଜୁଏଲାରି, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସହର ଉପକଣ୍ଠରେ ଥିବା ନିଛାଟିଆ ରାସ୍ତାରେ ପଇଁତରା ମାରିଥାନ୍ତି। କୌଣସି ବ୍ୟକ୍ତି ଯଦି ବ୍ୟାଙ୍କରୁ ମୋଟାଅଙ୍କର ଟଙ୍କା କିମ୍ବା ଜୁଏଲାରରୁ ସୁନାଗହଣା କିଣି ଘରକୁ ଫେରିଥାନ୍ତି ତାଙ୍କ ଗତିବିଧିକୁ ନଜର ରଖି ଲୁଟେରାମାନେ ପରସ୍ପର ସହ ଯୋଗାଯୋଗ କରି ଯୋଜନାବଦ୍ଧ ଭାବେ ତାଙ୍କୁ ଲୁଟି ଘଟଣାସ୍ଥଳରୁ କେଉଁଆଡ଼େ ଉଭାନ ହୋଇଯାନ୍ତି। ଏହିପରି ଭାବରେ ଗତ ୬ ମାସ ମଧ୍ୟରେ ସେମାନେ ପାଖାପାଖି ୭/୮ ଜଣଙ୍କୁ ଲୁଟିଛନ୍ତି ଏବଂ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ପୁଲିସ ଆଗରେ ମାନିଛନ୍ତି।

ଗତମ‌ାସ ୧୪ ତାରିଖ ପୂର୍ବାହ୍ନରେ ବାଲେଶ୍ବର ସହରର ବିବେକାନନ୍ଦ ମାର୍ଗରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖାରୁ ସଦର ଥାନା ସାରଗାଁ ଅଞ୍ଚଳର ଭଗବାନ ଦାସଙ୍କ ପତ୍ନୀ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ଘରକୁ ଅଟୋରେ ଫେରୁଥିଲେ। ଏହି ସମୟରେ ଏକ କଳାପଲସର ବାଇକ୍‌ରେ ୨/୩ ଜଣ ଯୁବକ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଚଳିତମାସ ୨ ତାରିଖ ଅପରାହ୍‌ଣରେ ସଦର ଥାନା ଫୁଲାଡ଼ି ଅଞ୍ଚଳର ଗଙ୍ଗାଧର ବେ‌େହରା ନାମକ ଜଣେ ବ୍ୟବସାୟୀ ସେହି ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରୁ ୩ ଲକ୍ଷ ଟଙ୍କା ଧରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ନୁଣିଆଯୋଡ଼ି ଆଗକୁ ନିଛାଟିଆ ରାସ୍ତାରେ ଲୁଟେରା ଗ୍ୟାଙ୍ଗ୍‌ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ନ ରହିବାରୁ ସେମାନେ ତାଙ୍କ ଗାଡ଼ିକୁ ଗୋଇଠା ମାରି ପକାଇ ଦେଇଥିଲେ। ଏହାପରେ ବିଚ୍‌ ରାସ୍ତାରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ସ୍କୁଟି ଡିକିରେ ଥିବା ୩ ଟଙ୍କା ଲୁଟି ନେଇଥିଲେ। ଏନେଇ ସହଦେବଖୁଣ୍ଟା ଥାନାରେ ଗତ ୧୬ ଫେବ୍ରୁଆରିରେ ଏବଂ ୨ ମାର୍ଚ୍ଚରେ କେସ୍‌ ନମ୍ବର ୫୦/୨୨ ଓ କେସ୍‌ ନମ୍ବର ୬୨/୨୨ରେ ଦୁଇଟି ମାମଲା ରୁଜୁ କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ତେବେ ଗିରଫ ପରେ ଏହି ଅପରାଧୀ ଗ୍ୟାଙ୍ଗ୍‌ କେବଳ ଏହି ଦୁଇଟି ଘଟଣା ନୁହେଁ ବରଂ ପଞ୍ଚାୟତ ନିର୍ବାଚନ ପୂର୍ବଦିନ ମାରଣାସ୍ତ୍ରରେ ଆକ୍ରମଣ କରି ବାମପଦା ରାସ୍ତା ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଏବଂ ଚାନ୍ଦିପୁର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଲୁଟିଥିବା ସ୍ବୀକାର କରିଛନ୍ତି। ସେମାନଙ୍କର ଏକ ବଡ଼ ଗ୍ୟାଙ୍ଗ୍‌ ରହିଛି। ତେବେ ପୁଲିସ ଏହି ୩ ଲୁଟେରାଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe