ଜନ୍ମେଜୟଙ୍କ ଖବରକାଗଜ ବାଣ୍ଟିବା ନିଶା: ୭୦ ବର୍ଷ ବୟସରେ ପ୍ରତିଦିନ ୩୬ କିମି ସାଇକେଲ୍‌ ଯାତ୍ରା

Advertisment
ଜନ୍ମେଜୟଙ୍କ ଖବରକାଗଜ ବାଣ୍ଟିବା ନିଶା: ୭୦ ବର୍ଷ ବୟସରେ ପ୍ରତିଦିନ ୩୬ କିମି ସାଇକେଲ୍‌ ଯାତ୍ରା

ଜଳେଶ୍ୱର: କାମର ନିଶା ଆଗରେ ହାର୍‌ ମାନିଛି ବୟସ। ଦୈନିକ ସାଇକେଲ୍‌ରେ ୩୬ କିଲୋମିଟର ଯାତ୍ରା କରି ଘରେ ଘରେ ଖବରକାଗଜ ପହଞ୍ଚାଉଛନ୍ତି ଜଳେଶ୍ୱର ବ୍ଲକ୍‌ ସୁଗୋ ପଞ୍ଚାୟତ ଭୁରୁକୁଣ୍ଡା ଗ୍ରାମର ୭୦ ବର୍ଷୀୟ ଜନ୍ମେଜୟ ସାହୁ।
୪୦ ବର୍ଷ ତଳର କଥା। ଜନ୍ମେଜୟ ଲକ୍ଷ୍ମଣନାଥ ‘ସମ୍ବାଦ’ ବିତରକ ଭାବେ ଆରମ୍ଭ କରିଥିଲେ କାମ। ସେତେବେଳେ ସେ ମାତ୍ର ୧୦ ଖଣ୍ଡ ଖବରକାଗଜ ବିତରଣ କରୁଥିଲେ। ହେଲେ ଏବେ ‘ସମ୍ବାଦ’ ସହ ଅନ୍ୟ କିଛି ଦୈନିକ ଖବରକାଗଜକୁ ମିଶାଇ ପାଖାପାଖି ୩୫୦ ଖଣ୍ଡ ଖବରକାଗଜ ପାଠକଙ୍କୁ ବିତରଣ କରୁଛନ୍ତି। ପ୍ରତିଦିନ ରାତି ୩ଟାରୁ ବିଛଣା ଛାଡୁଥିବା ଜନ୍ମେଜୟ ରାତି ସାଢ଼େ ୩ଟାରେ ଘରୁ ବାହାରି ଆସନ୍ତି। ଜଳେଶ୍ୱର ଷ୍ଟେସନ୍‌ରୁ ଖବରକାଗଜ ସଂଗ୍ରହ କରିବା ପରେ ସାଢ଼େ ୪ଟାରୁ ୫ଟା ମଧ୍ୟରେ ଆରମ୍ଭ କରନ୍ତି ବିତରଣ କାମ। ମଧ୍ୟାହ୍ନ ୧୨ଟା ସମୟରେ ଘରକୁ ଫେରୁଥିବା ଜନ୍ମେଜୟ ଅପରାହ୍ନ ୪ଟାରେ ପୁଣି ଘରୁ ବାହାରି ଆସନ୍ତି ଏବଂ ଖବରକାଗଜ ବାବଦ ଦେୟ ଗ୍ରାହକଙ୍କଠାରୁ ସଂଗ୍ରହ କରନ୍ତି। ଜନ୍ମେଜୟଙ୍କ ପୁଅ ମଧ୍ୟ ତାଙ୍କୁ ଏହି କାମରେ ସହାୟତା କରିଥାଆନ୍ତି। ଖବରକାଗଜ ବିତରଣରୁ ଯେତିକି ଆୟ ହୁଏ, ସେତିକିରେ ସେ ନିଜର ୫ ଜଣିଆ ପରିବାର ପ୍ରତିପୋଷଣ କରିଥା’ନ୍ତି। ଜନ୍ମେଜୟ କହନ୍ତି, ଖବରକାଗଜ ପଢ଼ିବା ପାଇଁ ଲୋକେ ମୋ ବାଟକୁ ଚାହିଁ ବସିଥା’ନ୍ତି। ଯେତେବେଳେ ମୁଁ ମୋ ଗ୍ରାହକଙ୍କ ହାତକୁ ଖବରକାଗଜ ବଢ଼ାଇଦିଏ, ସେତେବେଳେ ସେମାନଙ୍କ ମୁହଁରେ ଫୁଟିଉଠୁଥିବା ହସ ହିଁ ମୋ ଭିତରେ ଉତ୍ସାହ ଭରିଦିଏ। ଶୀତ, କାକର, ଖରା; କିଛିର ବି ମୁଁ ପରବାଏ କରେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe