ପୋଖରୀରେ ବୁଡ଼ି ଗଲା ଦୁଇ ଜୀବନ

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଯୁବକ

Image Courtesy of India Today

ଜଳେଶ୍ୱର: ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ଯାଇଛି ଦୁଇ ଜୀବନ।  ବାଳେଶ୍ୱର ଥାନା ଝାଡ଼ପିପଳ ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ଅସ୍ବାଭାବିକ ମୃତ୍ୟୁ  ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ଗ୍ରାମର ତ୍ରିପାନ ଦଣ୍ଡପାଟଙ୍କ ପୁଅ ଜୀବନ (୧୪)। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପୁଅକୁ ବଞ୍ଚାଇବାକୁ ନେଇ ପରିବାର ଲୋକ ଝଡ଼ାଫୁଙ୍କା ଓ ପୂଜାର୍ଚ୍ଚନା କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଘଟଣା ମୁତାବକ, ଗତକାଲି ପୂର୍ବାହ୍ନରେ ଜୀବନ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବା ପାଇଁ ନିଜ ଭାଇଙ୍କ ସହ ଯାଇଥିଲେ। ଜୀବନ ପୋଖରୀ ଭିତରକୁ ପଶିବା ପରେ ଆଉ ଉଠି ନଥିଲେ। ଜୀବନଙ୍କ ଭାଇ ପାଟି କରିବା ପରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଇଡ୍‌କୋ ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ଜୀବନଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକ କମର୍ଦ୍ଦା-ବାଲିଆପାଳ ରାସ୍ତାକୁ କାଳିକାପୁର ନିକଟରେ ଅବରୋଧ କରିଥିଲେ।

ମାଛ ଚୋରି ହେଉଥିବାରୁ ପୋଖରୀ ମାଲିକ ପୋଖରୀରେ ବିଦ୍ୟୁତ୍‌ ସଂଯୋଗ କରିଥିବାରୁ ଜୀବନର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ଏହି ସମୟରେ ଗାଁ’ର ଜଣେ ବ୍ୟକ୍ତି ଗାଁ’ର ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପୁଅ ବଞ୍ଚିଯିବ ବୋଲି ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକ ଠାକୁରାଣୀଙ୍କ ନିକଟରେ ମୃତଦେହକୁ ରଖି ପୂଜାର୍ଚ୍ଚନା କରିଥିଲେ। ହେଲେ ନାବାଳକ ଜୀବନ ନଫେରିବାରୁ ପରିବାର ​ଲୋକ ପୁଣି ମୃତଦେହକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ପୁଣି ମୃତ ଘୋଷଣା କରିବା ପରେ ପରିବାର ଲୋକ ନିରାଶ ହୋଇ ଫେରିଥିଲେ।

ପୋଖରୀରେ ବୁଡ଼ି ଶ୍ରମିକ ମୃତ

ଦେବଗଡ଼: ବାରକୋଟ ଥାନା ଅକ୍ଷରଶିଳା ଗ୍ରାମରେ ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ କେନ୍ଦୁପତ୍ର ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ସାନନୂଆପଡା ଗ୍ରାମର ଲକ୍ଷ୍ମଣ ଦେହୁରୀ (୬୨) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମଣ ଅକ୍ଷରଶିଳା ଗ୍ରାମରେ ରହି କେନ୍ଦୁପତ୍ର ଫଡ଼ିରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍ଷ୍ମ ସେହି ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ସେ ପୋଖରୀରେ ବୁଡ଼ି ରହିଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଗ୍ରାମବାସୀମାନେ ବାରକୋଟ ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe