Deccan Herald
ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଟିକିରାପଡ଼ା ଗ୍ରାମ ମସଜିଦ ନିକଟରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏହି ଗ୍ରାମରେ ଜଣେ ଜନୈକା ମହିଳା ଦୀର୍ଘଦିନ ଧରି ବେଆଇନ ମଦ କାରବାର ଚଳାଇ ଆସିଥିଲେ। ଏହି ଗ୍ରାମର ହରେନ୍ଦ୍ର ବାରିକ ଛୋଟ ମୋଟ ରୋଷେଇ କରି ଗୁଜୁରାଣ ମେଣ୍ଟାଉ ଥିବା ବେଳେ ତାଙ୍କ ପୁଅ ଅଜୟ (୩୦) ପ୍ରତିଦିନ ଶ୍ରମିକ ଭାବେ କାର୍ଯ୍ୟ କରି ଯେଉଁ ରୋଜଗାର କରନ୍ତି ସେହି ଟଙ୍କାରେ ଆସି ମହିଳାଙ୍କ ନିକଟରୁ ମଦ ପିଅନ୍ତି। କେବେ କେବେ ଟଙ୍କା ନଥିଲେ ମଧ୍ୟ ଧାର ବାକିରେ ଅଜୟ ମଦ ପିଇ ଦିଅନ୍ତି।
ମାତ୍ର ଦୀର୍ଘଦିନ ଧରି ୨୫୦ ଟଙ୍କାର ମଦ ପିଇ ଅଜୟ ଆଉ ଵାକିଆ ଟଙ୍କା ଶୁଝିନଥିଲେ। ଫଳରେ ମହିଳା ବ୍ୟବସାୟୀ ନିଜର ବକେୟା ଟଙ୍କା ଅଜୟଙ୍କ ମାଙ୍କୁ ଯାଇ ମାଗିଥିଲେ। ଏଥିରେ ଅଜୟଙ୍କ ମା ମହିଳାଙ୍କୁ ତାଗିଦ୍ କରିବା ସହିତ ଟଙ୍କା ଦେବାକୁ ମନା କରିବା ସଙ୍ଗେ ସଙ୍ଗେ ଆଉ ପୁଅକୁ ମଦ ଦେବାକୁ ମନା କରିଥିଲେ। ମାତ୍ର ଗତ ୧୧ ତାରିଖ ଦିନ ଅଜୟ ପୁଣି ବିନା ପଇସାରେ ପାଖ ଦୋକାନରୁ ପାଞ୍ଚ ଟଙ୍କାରେ ଚାଖନା କିଣି ମଦ ପିଇବାକୁ ଯାଇଥିବା ଦୋକାନୀ ପ୍ରକାଶ କରିଥିଲେ।
ସେହି ଦିନଠାରୁ ଅଜୟଙ୍କ ସନ୍ଧାନ ମିଳି ନଥିଲା। ପରେ ମସଜିଦ ନିକଟରୁ ଗତ ରବିବାର ବିଳମ୍ବିତ ରାତିରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଉତ୍ୟକ୍ତ ଲୋକେ ବେଆଇନ ମଦ କାରବାର ଚଳାଇ ଆସୁଥିବା ମହିଳାଙ୍କୁ ଟାର୍ଗେଟ କରି ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ପୁଲିସ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ବେଳେ ଏକ ଧାରୁଆ ବ୍ଲେଡରେ ମହିଳା ନିଜ ଗଳାକାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ମାତ୍ର ପୁଲିସ ଅଟକାଇ ଥିବା ବେଳେ ମହିଳା ଜଣଙ୍କୁକ ଥାନାକୁ ଆଣି ଅଟକ ରଖିଥିଲେ।
ମହିଳାଙ୍କ ଘରେ ଥିବା ଦଶ ବର୍ଷର ନାବାଳିକା ଝିଅ ବୟାନ ନେଇଥିଲା ପୁଲିସ । ମୋ ମାଆ ଅଜୟକୁ ବୋତଲରେ ପିଟିପିଟି ମାରିଥିବା ନାବାଳିକା ପ୍ରକାଶ କରିଥିଲା। ପୁଲିସ ଉକ୍ତ ମହିଳାଙ୍କ ଘରୁ ଭଙ୍ଗା ବୋତଲ, ଭୁଜାଲି ଓ ଏକ ଖଣ୍ଡାକୁ ଉଦ୍ଧାର କରିଥିଲା। ମହିଳାଙ୍କ ଘରେ ରକ୍ତଛିଟା ଲିଭାଇବା ପାଇଁ ଗୋବରରେ ଲିପା ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅଜୟଙ୍କ ମୃତ ଶରୀରର ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ତାର ମୁଣ୍ଡ ପଛ ପାଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ପ୍ରକାଶ କରିଥିଲେ। ତେବ ଏତେ ସବୁ ତଥ୍ୟ ପ୍ରମାଣ ପରେ ମଧ୍ୟ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିବାକୁ ନେଇ ପୁଲିସର କାର୍ଯ୍ୟ ଦକ୍ଷତା ଓ ତଦନ୍ତରେ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us