‘ବନ୍ଦର’ର ଭିତ୍ତିଭୂମି ସୁଦୃଢ଼ କରାଯିବ: ପର୍ଯ୍ୟଟନ ମନ୍ତ୍ରୀ

Advertisment
‘ବନ୍ଦର’ର ଭିତ୍ତିଭୂମି ସୁଦୃଢ଼ କରାଯିବ: ପର୍ଯ୍ୟଟନ ମନ୍ତ୍ରୀ

Sambad

ମାଛଗାଁ/ବାଲିକୁଦା: ପ୍ରାକୃତିକ‌ ସୌନ୍ଦର୍ଯ୍ୟର ଗନ୍ତାଘର। କିନ୍ତୁ ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ। ପ୍ରସ୍ତାବିତ ଏହ ବନ୍ଦର ପର୍ଯ୍ୟଟନକ୍ଷେତ୍ରର ଭିତ୍ତି ଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ଅନୁଦାନ ଘୋ‌ଷଣା କରିଛନ୍ତି। ପ୍ରକଳ୍ପର ଅନୁମ‌ୋଦନ ପରେ ଏହାର ରାସ୍ତାଘାଟ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ପାଚେରି ଆଦି ଆନୁସଙ୍ଗିକ ବ୍ୟବସ୍ଥାର ଉନ୍ନତିକରଣ କରାଯିବ ବୋଲି ରାଜ୍ୟ ପର୍ଯ୍ୟଟନ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବାଲିକୁଦା ବ୍ଲକ ମରିଚିପୁର ପଞ୍ଚାୟତ ବନ୍ଦର ସାମୁଦ୍ରିକ ଅଞ୍ଚଳକୁ ଆଜି ପରିଦର୍ଶନରେ ଆସିଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଭେଟି ସ୍ଥାନୀୟ ଯୁବକମାନେ ବନ୍ଦରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି କରିଥିଲେ। ପୂର୍ବରୁ ଏଥିପାଇଁ ଯୁବ ସଂଗଠନ ପକ୍ଷରୁ ବାରମ୍ବାର ଦାବିପତ୍ର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ଏହାସତ୍ତ୍ବେ ସରକାର ଏଦିଗରେ ବିଳମ୍ବ କରୁଛନ୍ତି। ବର୍ତମାନ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହା ସରକାରଙ୍କ କେବଳ ସନ୍ତୁଷ୍ଟିକରଣ ଘୋଷଣା ନା ଏହା ବାସ୍ତବରୂପ ନେବ ବୋଲି ଯୁବକମାନେ ପ୍ରଶ୍ନ କଲାରୁ ମନ୍ତ୍ରୀ କହିଥିଲେ ‘ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏହାର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ଏହା ନିଶ୍ଚିତ ଭାବେ ଏକ ସୁନ୍ଦର ସ୍ଥାନ। ରାତି‌ ହୋଇଥିବାରୁ ମୁଁ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିନାହିଁ। ପୁନର୍ବାର ଏଠାକୁ ନିଶ୍ଚିତ ଭାବେ ଆସି ବୁଲିଯିବି। ରାଜ୍ୟରେ ଶତାଧିକ ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ଉଦ୍ୟମ ଆରମ୍ଭ ହୋଇଛି। ବନ୍ଦର ଗ୍ରାମରୁ ଜେଟି ଓ ସାମଦ୍ରିକ ଥାନା ପର୍ଯ୍ୟନ୍ତ ଥିବା ରାସ୍ତା ଦୟନୀୟ ସ୍ଥିତିରେ ରହିଛି। ଏହାର ଉନ୍ନତିକରଣକୁ ପ୍ରାଥମକିତା ଦିଆଯିବ।

ମନ୍ତ୍ରୀଙ୍କ ଜଗତସିଂହପୁର ଜିଲ୍ଲାକୁ ଦିନିକିଆ ଗସ୍ତ କାଳରେ ସ୍ଥାନୀୟ ବିଧାୟକ ତଥା ସୂଚନା, ଲୋକ ସମ୍ପର୍କ ତଥା ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦ ଦାସ ମଧ୍ୟ ସାମିଲ ରହି ବନ୍ଦରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୁହେଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହିତ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏରସମାର ଶିଆଳି ବେଳାଭୂମି ପରିଦର୍ଶନ ପରେ ମନ୍ତ୍ରୀ ଦ୍ବୟ ବନ୍ଦର ଦ୍ବିପା‌ଞ୍ଚଳ ଗସ୍ତ କରିଥିଲେ। ତେବେ ଉଭୟ ନେତାଙ୍କୁ ବାଲିକୁଦା–ମାଛଗାଁ ମୁଖ୍ୟ ରାସ୍ତାର ତିହୁଡ଼ି ଛକ ଠାରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶତାଧିକ ବିଜେଡ଼ି କର୍ମୀ ଓ ସ୍ଥାନୀୟ ନେତୃମଣ୍ତଳୀ , ଯୁବଛାତ୍ର ପ୍ରତିନିଧି ଗଣ ଏକ ବିରାଟ ପଟୁଆରରେ ମନ୍ତ୍ରୀ ଦ୍ବୟଙ୍କୁ ପାଛୋଟି ନେଇଥିଲେ। ଏଥିରେ ବରମୁଣ୍ତଳି ସରପଞ୍ଚ ନିରଂଜନ ପଣ୍ତା, ସମିତିସଭ୍ୟା ତଟିନା ସ୍ବାଇଁ, ପୂର୍ବତନ ସମିତିସଭ୍ୟ ରାଜେନ୍ଦ୍ର ମିଶ୍ର, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସ୍ବାଇଁ, ମୁନା ସ୍ବାଇଁ, ଅବିନାଶ ସାହୁ, ରଞ୍ଜନ ଦାସ, ଆଇନଜୀବୀ ପ୍ରକାଶ ପ୍ରଧାନ, ମାନସ ଭଂଜନ ଜେନା, ରମାକାନ୍ତ ଜେନା, ଆଶିଷ ବାରିକ, ଧୀରେନ୍ ଜେନା, ଟିପୁନା ନାୟକ, କାମଦେବ ବରାଳ, ବିଜୟ ରାଉତ, ର‌ଞ୍ଜନ ମହାନ୍ତି, ଜ୍ୟୋତିଷ ବାରିକ, ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ମା’ ବନ୍ଦରେଇଙ୍କ ପରିସରରେ ଅନୁଷ୍ଠିତ ବୈଠକରେ ଉଭୟ ମନ୍ତ୍ରୀ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ବୁଝିଥିଲେ। ଏହି ପରିପ୍ରେକ୍ଷୀରେ ବନ୍ଦରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯିବା ସମ୍ପର୍କିତ ଏକ ଦାବିପତ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe