ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖା ଜାଲିଆତିର ଖୋଲୁନି ଅଡ଼ୁଆ ଗଣ୍ଠି

Advertisment
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖା ଜାଲିଆତିର ଖୋଲୁନି ଅଡ଼ୁଆ ଗଣ୍ଠି

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଠାରେ ଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ହିତାଧିକାରୀଙ୍କ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଜାଲିଆତିର ଅଡ଼ୁଆ ଗଣ୍ଠି ଫିଟିବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଜାଲିଆତିର ତଦନ୍ତ ରିପୋର୍ଟ ଆସିବା ଓ ଏହି ଜାଲିଆତିରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଦୋଷ ସ୍ୱୀକାରୋକ୍ତି ଲେଖାଇନେବା, କେବଳ ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ଯେତିକି ରହସ୍ୟ ହୋଇଛି ସେତିକି ପରିମାଣରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଟଙ୍କା ଫେରାଇବାରେ କର୍ତୃପକ୍ଷଙ୍କ ନିରବତା ପରିସ୍ଥିତିକୁ ତାଠାରୁ ଅଧିକ ପରିମାଣରେ ଜଟିଳ କରିଛି ।
ଆଜି ବହୁ କୋଟି ଟଙ୍କା ଜାଲିଆତିର ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ୟାଙ୍କର ପୂର୍ବତନ ହିସାବ ରକ୍ଷକ ବୁଦ୍ଧିରାମ ଦାସଙ୍କ ଏକ ଦୋଷ ସ୍ୱୀକାରୋକ୍ତି ପତ୍ର ମିଳିଛି । ଏହି ସ୍ୱୀକାରୋକ୍ତି ୨୩ ଫେବ୍ରୁଆରୀ ୨୦୨୨ରେ ଲେଖିଛନ୍ତି । ଏଥିରେ ସେ ବ୍ୟାଙ୍କରେ କାର୍ଯ୍ୟକରୁଥିବା ସମୟରେ କଳ୍ପତରୁ ଜମା, ଆର୍ଡି ଓ ଏସ୍ବିଡି ଜମା ଟଙ୍କା ବ୍ୟାଙ୍କରେ ଦାଖଲ ନକରି ନିଜ ବ୍ୟକ୍ତିଗତ ଜମାଖାତାରେ ଜମା କରିଥିବା ନେଇ ସ୍ୱୀକାର କରିଛନ୍ତି । ଏପରିିକି ୩୧ ମାର୍ଚ୍ଚ ୨୦୨୦ରେ ଅବସର ଗ୍ରହଣ କରିବା ପରେ ମଧ୍ୟ ବ୍ୟାଙ୍କକୁ ନିୟମିତ ଭାବେ ଯାଇ ଜାଲିଆତିକୁ ଚପାଇବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି । ତଦନ୍ତରେ ଯେଉଁ ଯେଉଁ ହିତାଧିକାରୀଙ୍କ ଜମାଟଙ୍କା ଜାଲିଆତି ହୋଇଛି ଓ ଯେତେ ପରିମାଣରେ ହୋଇଛି ସେ ସମସ୍ତ ସୁଧ ସହ ଚିଠି ହସ୍ତଗତ ହେବାର ୨୧ ଦିନ ମଧ୍ୟରେ ଫେରସ୍ତ କରିବେ ବୋଲି ଲିଖିତ ଭାବେ ଦେଇଛନ୍ତି । ଏଥିରେ ୯ଜଣ ପୂର୍ବତନ ସହକାରୀ ପରିଚାଳକ ଓ ବର୍ତମାନର ସହକାରୀ ପରିଚାଳକ, ବ୍ୟାଙ୍କ ସହକାରୀଙ୍କ ସାକ୍ଷ୍ୟ ମଧ୍ୟ ଦେଇଛନ୍ତି ।
ବର୍ତମାନ ପ୍ରଶ୍ନ ଉଠୁଛି, ଏନେଇ ଠକାମୀର ଶିକାର ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ କେତେକ ଏନେଇ ଜାଣି ଚଳିତ ବର୍ଷ ଫେବ୍ରୁଆରୀ ୨୩ ତାରିଖରେ ହିଁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୨୩ ତାରିଖରେ ତଦନ୍ତ ପାଇଁ ବ୍ୟାଙ୍କ କର୍ତୃପକ୍ଷ ନିଦେ୍ର୍ଦଶ ଦେଇଥିଲେ । ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବାରୁ ତଦନ୍ତ ବିଳମ୍ବ ହୋଇଥିଲା ଓ ତଦନ୍ତ ମାର୍ଚ୍ଚ ମାସ ୨୬-୨୭ ତାରିଖରେ ଶେଷ ହେଲା । ଏଭଳି ସ୍ଥିତିରେ ପ୍ରଥମ ଦିନ କିଭଳି ବୁଦ୍ଧିରାମ ସମସ୍ତ ଦୁର୍ନୀତି କରିଛି ବୋଲି ସ୍ୱୀକାର କରି ଏକ ସରକାରୀ ଷ୍ଟାମ୍ପ୍ ପେପରେ ଲେଖିଲା? ଯଦି ସେ ଏହି ଜାଲିଆତି କରିଥିବା ସ୍ୱୀକାର କରିଛି, ତେବେ ୪୦ ଦିନରୁ ଉଦ୍ଧ୍ୱର୍ ସମୟ ବିତିଯିବା ପରେ ମଧ୍ୟ ଟଙ୍କା ଫେରସ୍ତ ଦେବା ପାଇଁ ବ୍ୟାଙ୍କ କାହିଁକି ମୁହଁ ଖୋଲୁନାହିଁ?
ଏନେଇ ବ୍ୟାଙ୍କର ସିଇଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୮୦ରୁ ୯୮ଜଣ ଜମାକାରୀଙ୍କ ଜମାଟଙ୍କା ଯାହହାର ପରିମାଣ ୧ କୋଟି ୧୯ଲକ୍ଷ ଟଙ୍କା ଜାଲିଆତି ହୋଇଛି । ତଦନ୍ତ ଶେଷ ହେବା ପରେ ବର୍ତମାନର ହିସାବରକ୍ଷକ, ଡାଟା ଏଂଟ୍ରି ଅପରେଟର ଏଭଳି ୨ଜଣଙ୍କୁ ନିଲମ୍ବନ ଓ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ବୁଦ୍ଧିରାମ ଦାସ ସ୍ୱୀକାର କରିଛନ୍ତି ସେ ଏହି ଜାଲିଆତି କରିଛନ୍ତି, ତେବେ ଅନ୍ୟ ଯେକୌଣସି କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ । ରିପୋର୍ଟ ଉପରେ ବ୍ୟାଙ୍କ ପରିଚାଳନା କର୍ତୃପକ୍ଷ ଯାହା ନିଷ୍ପତ୍ତି ନେବେ ସେ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଅଧିକାଂଶ ଜମାକାରୀ ସାଧାରଣ ଖଟିଖିଆ, ଚାଷୀ ଓ କୁଟୀରଶିଳ୍ପ ଉଦ୍ୟୋଗୀ ସେମାନଙ୍କ ଟଙ୍କା ଫେରାଇବା ନେଇ କର୍ତୃପକ୍ଷ ଏଯାଏଁ କୌଣସି ଠୋସ୍ ପ୍ରତିଶ୍ରୁତି ଦେଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe