ଡିହସାହି ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ; ସିସି ଟିଭିରେ ଚୋରି ଉଦ୍ୟମର ଲାଇଭ୍ ଚିତ୍ର

ଗ୍ୟାସ୍‌ କଟର୍‌ରୁ ନିଆଁ ଲାଗି ପୋଡ଼ିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର; ଭିଡ଼ିଓ ଫୁଟେଜ୍‌ରୁ ସୁରାକ୍‌

ଡିହସାହି ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ; ସିସି ଟିଭିରେ ଚୋରି ଉଦ୍ୟମର ଲାଇଭ୍ ଚିତ୍ର

Sambad

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଥାନା ଅନ୍ତର୍ଗତ ଡିହସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍‌ରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଦୃର୍ବୃତ୍ତ ବ୍ୟାଙ୍କ ଭିତରେ ପଶି କଳାକନା ବୁଲାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଗ୍ୟାସ୍‌ କଟରରୁ ନିଆଁ ଲାଗି ଯିବାରୁ ଭୟଭୀତ ହୋଇ ସେମାନେ ଚାଲିଯାଇଥିଲେ। ତେବେ ଏହି ନିଆଁ‌ରେ ବ୍ୟାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ପେସାଦାର ଅପରାଧୀମାନେ ହିଁ ଲୁଟ୍ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ଚୋରି ଉଦ୍ୟମ ଘଟଣାର ସମସ୍ତ ଦୃଶ୍ୟ ସିସି ଟିଭି ଫୁଟେଜ୍‌ରେ କଏଦ ହୋଇଛି। ଯାହା ପୋଲିସକୁ ଚୋର ନିକଟରେ ପହଞ୍ଚିବାରେ ସହାୟକ ହେବ ବୋଲି କୁହାଯାଉଛି। ସିସି ଟିଭି ଫୁଟେଜ୍ ଅନୁସାରେ ରାତି ପ୍ରାୟ ୩ଟାରେ ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସିଥିଲେ। ବ୍ୟାଙ୍କର ସମ୍ମୁଖ ଚାବିକୁ ଗ୍ୟାସ୍‌ କଟରରେ କାଟି ଭିତରକୁ ପଶି ଭିତରେ ଟର୍ଚ ମାରି କିଛି ସମୟ ଘର ଭିତରେ ଥିବା ଜିନିଷ ଗୁଡ଼ିକରେ କିଛି ଖୋଜା ଖୋଜି କରିଥିଲେ।

publive-image Sambad

ହୁଏତ ଲକର୍ ଚାବି ନପାଇ ସେମାନେ ଏକ ଆଲମାରିକୁ କଟରରେ କାଟିବାକୁ ଲାଗିଥିଲେ। କିନ୍ତୁ କଟରରୁ ନିଆଁ ଛିଟିକି କାଗଜ ଗୁଡ଼ିକରେ ଲାଗି ଯାଇଥିଲା। କିଛି ସମୟ ଭିତରେ ବ୍ୟାଙ୍କ ଭିତର ଧୂଆଁମୟ ହୋଇଯାଇଥିଲା ଓ ସାଇରନ୍ ବାଜି ଉଠିଥିଲା। ଏହାପରେ ତିନି ଚୋର ଭୟରେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏ ସମସ୍ତ ଘଟଣା ବ୍ୟାଙ୍କ୍ ଓ ନିକଟରେ ଥିବା ଏକ କପଡ଼ା ଦୋକାନ ସିସି ଟିଭି ଫୁଟେଜ୍‌ରେ ମଧ୍ୟ ରେକର୍ଡ଼ିଂ ହୋଇଛି। ଗତକାଲି ରାତିରେ ସାଇରନ୍ ଶୁଣିଥିଲେ ହେଁ ରାତି ହୋଇଥିବାରୁ ପ୍ରାୟତଃ କେହି ବାହାରକୁ ଆସି ନଥିଲେ। ଆଜି ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଷ୍ଟାଫ୍ ପହଞ୍ଚି ଆଲମାରୀର ପ୍ରାୟ ସମସ୍ତ କାଗଜପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିଥିଲେ।

publive-image Sambad

ପୁଲିସ ଫରେନ୍ସିକ୍ ଟିମ୍‌ର ସହାୟତା ଅନୁସନ୍ଧାନ କରିଥିଲା। ଏହାପରେ ମ୍ୟାନେଜର ସତେନ୍ଦ୍ର କୁମାର ସାହୁ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ୍‌ରୁ ଟଙ୍କା ଚୋରି ହୋଇ ନଥିବା ଜଣା ପଡ଼ିଛି। କିନ୍ତୁ ଗୁରୁତ୍ବୂପର୍ଣ୍ଣ କାଗଜପତ୍ର ପୋଡ଼ିଯିବା ଗ୍ରାହକ ଓ ବ୍ୟାଙ୍କ୍ ପାଇଁ ସମସ୍ୟା ସୃଷ୍ଟି କରିବ। ଏହାପରେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କେସ୍‌ ନଂ ୩୩/୨୦୨୧ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଘଟଣା ସ୍ଥଳରୁ ଚୋର ବ୍ୟବହାର କରୁଥିବା ଏକ ଏୟାର୍ ବ୍ୟାଗ୍ ସ୍କୃଡ୍ରାଇଭର୍ ପୋଲିସ ଜବତ କରିଛି। ଖୁବ୍ ଶୀଘ୍ର ଚୋରି ଘଟଣାର ପଦ୍ଦାର୍ଫାସ ହେବ ବୋଲି କୁହାଯାଉଛି।

publive-image Sambad

ବ୍ୟାଙ୍କ୍ ଓ ନିକଟ କପଡ଼ା ଦୋକାନରେ ଲାଗିଥିବା ସିସି ଟିଭି ଚୋର ଧରାଇ ଦେବ ବୋଲି ଆଲୋଚନା ହେଉଛି। କାରଣ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପୁଲିସ ୬ରୁ ଅଧିକ ସିସିଟିଭି ଫୁଟେଜ୍ ଜବତ କରିଛି। ଅନ୍ୟପଟେ ଜଗତସିଂହପୁର ସହରରେ ଲାଗିଥିବା ସିସି ଟିଭିକୁ ମଧ୍ୟ ଦେଖା ଯାଉଛି। ରାତି ପ୍ରାୟ ତିନିଟା ବେଳେ ଏହି ଘଟଣା ଘଟିଥିବା ବେଳେ ତା ପୂର୍ବରୁ ଓ ତା ପରେ କେଉଁ କେଉଁ ଆଡ଼େ ଚୋର ଦଳ ଯାଇଛନ୍ତି ତାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ସିସି ଟିଭି ଫୁଟେଜ୍‌ରେ ଦୁଇ ଜଣ ଧଳା ରଙ୍ଗର ଓ ଜଣେ କଳା ରଂଗର ପୋଷାକ ସମ୍ପୂର୍ଣ୍ଣ ଦେହରେ ରହିଛି। ମୁଣ୍ଡରେ ମୁଖା ଓ ହାତରେ ଗ୍ଲୋବସ୍‌ ରହିଛି। ଧଳା ରଙ୍ଗ ପିନ୍ଧି ଥିବା ଜଣେ ବ୍ୟକ୍ତି ସିସି ଟିଭି ଆଡକୁ ଚାହିଁଥିବା ବେଳେ ତାର ଚେହେରା କିଛି ମାତ୍ରାରେ ଜଣା ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe